ପଦ୍ମପୁରରେ ଜୋର ଧରିଛି ପ୍ରଚାର। ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ବର୍ଷା।

62

କନକ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ପାଇଁ ସମୟ ଯେତେ ପାଖେଇ ଆସୁଛି, ପ୍ରାର୍ଥୀଙ୍କ ପ୍ରଚାର ସେତିକି ଜୋରଦାର ହୋଇଛି । ବିଜେପି ପାଇଁ ଦୁଇ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ଅଶ୍ୱିନୀ ବୈଷ୍ଣବ ପଦ୍ମପୁରରେ ପ୍ରଚାର କରିଛନ୍ତି । ସେପଟେ ଗାଁରେ ପରେ ଏବେ ପଦ୍ମପୁର ଏନଏସି ଉପରେ ଫୋକସ କରିଛି ବିଜେଡି । ରବିବାର ଦିନତମାମ ରୋଡ ଶୋ କରିଛନ୍ତି ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହା । ସ୍ଥାନୀୟ ନେତା ଓ କର୍ମୀଙ୍କ ଗହଣରେ ରୋଡ ଶୋ କରି ଚାଲିଛି ପ୍ରଚାର । ୱାର୍ଡରୁ ୱାର୍ଡକୁ ବୁଲିଛନ୍ତି ବିଜେଡି ପ୍ରାର୍ଥୀ । ବର୍ଷାଙ୍କ ସହ ରୋଡ ଶୋ ବେଳେ ମନ୍ତ୍ରୀ ରୀତା ସାହୁ, ବିଧାୟିକା ଅଳକା ମହାନ୍ତି ଓ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଦେଖିବାକୁ ମିଳିଥିଲା ।

ଗୋଟିଏ ପଟେ ବିଜେପି ପାଇଁ କେନ୍ଦ୍ରମନ୍ତ୍ରୀ, ପଦ୍ମପୁର ଏନଏସିରେ ବିଜେଡି ପ୍ରଚାରକୁ ଜୋରଦାର କରିଛନ୍ତି । କିନ୍ତୁ ଗାଁ ଗଣ୍ଡାରେ ରୋଡ ଶୋ କରି ଲୋକଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ କରୁଛନ୍ତି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ । କଂଗ୍ରେସର ଏହି ନିର୍ବାଚନମଣ୍ଡଳୀରେ ପକେଟ ଭୋଟ ଥିବାରୁ ଏହା ଉପରେ ଫୋକସ କରିଛି ଦଳ । ଘରକୁ ଘର ବୁଲି ଲୋକଙ୍କ ସହ ଭେଟି ଭୋଟଭିକ୍ଷା କରୁଛନ୍ତି କଂଗ୍ରେସ କର୍ମୀ । ରେଳଲାଇନ ନାଁରେ ବିଜେପି ଓ ବିଜେଡି ଏଠାକାର ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି କଂଗ୍ରେସ ପ୍ରାର୍ଥୀ ଅଭିଯୋଗ କରିଛନ୍ତି ।

ପଦ୍ମପୁରରେ ପ୍ରଚାର ପାଇଁ ଏକସପ୍ତାହରୁ କମ ସମୟ ରହିଯାଇଛି । ଆଗକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେଡି,ବିଜେପି ଓ କଂଗ୍ରେସର ବହୁ ହେଭିୱେଟ ସାମିଲ ହେବେ । ତେଣୁ ପ୍ରଚାର ଆହୁରି ଜମିବା ଆଶା କରାଯାଉଛି ।