ମୋଦୀଙ୍କ ସଭାକୁ ଯିବାବେଳେ ବିଜେପି କର୍ମୀଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ, ୨ ମୃତ, ଏକାଧିକ ଆହତ

296

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଭାରେ ସାମିଲ ହେବାକୁ ଛତିଶଗଡ ଅମ୍ବିକାପୁର ଜିଲ୍ଲାରୁ ବିଜେପି କର୍ମୀଙ୍କୁ ନେଇ ଯାଉଥିବା ବସ୍ ଏକ ଟ୍ରଲର ସହ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ୨ଜଣ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବାବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଓ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବସରେ ମୋଟ ୪୦ଜଣ କର୍ମୀ ଯାଉଥିଲେ । ସେମାନଙ୍କ ମଧ୍ୟରୁ ଆହତ ହୋଇଥିବା ୬ଜଣ ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି । ବର୍ଷା ଭିତରେ ଡ୍ରାଇଭରର ଆଖି ଲାଗିଯାଇଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । ତେବେ ଦୁର୍ଘଟଣା ଏତେ ଭୀଷଣ ଥିଲା ଯେ ବସଟି ଖଣ୍ଡବିଖଣ୍ଡିତ ହୋଇଯାଇଛି ।

କହିରଖୁଁ ଆଜି ପ୍ରଧାନମନ୍ତ୍ରୀ ମୋଦୀ ରାୟପୁରରେ ଏକ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ରାଲି ପୂର୍ବରୁ ମୋଦୀ ରାଷ୍ଟ୍ରିୟ ରାଜମାର୍ଗ ୩୦, ରାୟପୁର-କୋଡେବୋଡ ଖଣ୍ଡର ଚାର ଲୋନ୍ ବିଶଷ୍ଟ ରାସ୍ତା ଓ ଏନଏଚ ୧୩୦ର ୫୩ କିଲୋମିଟର ରାସ୍ତାକୁ ରାଷ୍ଟ୍ରକୁ ସମର୍ପଣ କରିବେ । ଏହାର ଶିଳାନ୍ୟାସ କରିବେ ।