୨୦ ପ୍ରତିଶତରୁ ଅଧିକ ମହଙ୍ଗା ହେବ ଘର ତିଆରି । ୩ ମାସରେ ୨ ଥର ବଢିଲାଣି ସିମେଣ୍ଟ ଓ ଲୁହାଛଡ ଦାମ୍

340

କନକ ବ୍ୟୁରୋ: ଘର ତିଆରି କରିବା ଏଣିକି ମହଙ୍ଗା ହେବ କାରଣ ମାସକରେ ସିମେଣ୍ଟ ଓ ରଡ୍ ଦର ବଢ଼ିବାରେ ଲାଗିଛି । ତିନି ମାସରେ ଦୁଇ ଦୁଇ ଥର ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢ଼ାଇଛି । ଅନୁମାନ କରାଯାଉଛି, ଘର ତିଆରି ଏଣିକି ୨୦ରୁ ୩୦ ପ୍ରତିଶତ ମହଙ୍ଗା ହୋଇପାରେ । ଦର ନିୟନ୍ତ୍ରଣ କରିବା ପାଇଁ ସରକାରୀ ସ୍ତରରେ କୌଣସି ବ୍ୟବସ୍ଥା ନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି ।

  • ମହଙ୍ଗା ହେଲା ଘର ନିର୍ମାଣ
  • ବଢ଼ିଲା ସିମେଣ୍ଟ ଓ ଲୁହାଛଡ଼ ଦର
  • ୩ ମାସରେ ଦୁଇ ଥର ବୃଦ୍ଧି

ସ୍ୱପ୍ନର ଘର ତୋଳିବାକୁ ଯୋଜନା କରିିଛନ୍ତି କି? ଏହି ସ୍ୱପ୍ନକୁ ବାସ୍ତବ ରୂପ ଦେବାକୁ ହେଲେ ଗଣିବାକୁ ପଡିବ ଅଧିକ ଟଙ୍କା । କାରଣ ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି ସିମେଣ୍ଟ ଓ ଲୁହାଛଡ଼ର ଦାମ । ଯାହା ଘର ତିଆରି ପାଇଁ ଗୁରୁତ୍ୱପୂର୍ଣ୍ଣ କଞ୍ଚାମାଲ । ଗତ ନଭେମ୍ବରରେ ଦର ବଢିଥିବାବେଳେ ପୁଣି ଥରେ ବଢିଛି ଦରଦାମ । ତେବେ ବସ୍ତା ପିଛା ସିମେଣ୍ଟ ୫୦ରୁ ୬୦ ଟଙ୍କା ବଢ଼ିଛି । ଅର୍ଥାତ ସିମେଣ୍ଟ ବସ୍ତାକୁ ୩୮୦ରୁ ୪୦୦ ଟଙ୍କା ହୋଇଛି । ସେହିପରି ଲୁହାଛଡ଼ ଟନ୍ ପିଛା ୩ ହଜାର ଟଙ୍କାରୁ ଅଧିକ ବୃଦ୍ଧି ପାଇଛି ।

  • ରିଅଲ୍ ଇଷ୍ଟେଟ୍ କ୍ଷେତ୍ରକୁ ଝଟକା
  • ଘର ତିଆରି ହେବ ୨୦ ପ୍ରତିଶତରୁ ଅଧିକ ମହଙ୍ଗା

ନିର୍ମାଣ ସାମଗ୍ରୀର ଦର ବଢିବାରୁ ଏହାର ସିଧା ପ୍ରଭାବ ପଡିଛି ରିଅଲ ଇଷ୍ଟେଟ୍ ଉପରେ । କଞ୍ଚାମାଲର ଦରବୃଦ୍ଧି ଯୋଗୁଁ ନିର୍ମାଣ ଖର୍ଚ୍ଚ ୨୦ରୁ ୩୦ ପ୍ରତିଶତ ବୃଦ୍ଧି ପାଇବ ବୋଲି କହିଛନ୍ତି ରିଅଲ ଇଷ୍ଟେଟ୍ ମାଲିକ । ଦରବୃଦ୍ଧି ନିୟନ୍ତ୍ରଣ କରିବାରେ କୌଣସି ସରକାରୀ ବ୍ୟବସ୍ଥା ନଥିବାରୁ ଏଥିରେ ରୋକ ଲାଗୁ ନଥିବା କହିଛି ରିଅଲ ଇଷ୍ଟେଟ୍ ସଂଘ । ବାରମ୍ବାର ଏଭଳି ସମସ୍ୟା ଦେଖାଦେଉଥିବାରୁ ଏହାର ସମାଧାନ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସହ ଆଲୋଚନା କରିଛି କ୍ରେଡାଇ । ତେବେ ଆଗକୁ ଏହି ସାମଗ୍ରୀର ଦର ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରୁଛନ୍ତି ବଜାର ବିଶେଷଜ୍ଞ ।