ଲୋକସଭାରେ ବିରୋଧୀଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ, ବିରୋଧୀଙ୍କ ଏକତା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଦେଲେ ଧନ୍ୟବାଦ

233

କନକ ବ୍ୟୁରୋ : ଆଦାନୀ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ, ଖଡଗେ ଓ ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ୍ ପରେ ଏବେ ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ରାଷ୍ଟ୍ରପତିଙ୍କ ଅବିଭାଷଣ ଉପରେ ଚର୍ଚ୍ଚାର ଜବାବ ଦେବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଷ୍ଟ୍ରପତି ମହୋଦୟା ଆଦିବାସୀ ସମାଜ ପାଇଁ ଗୌରବ ବଢାଇଛନ୍ତି । ଏହାପରେ ସେ ସିଧାସଳଖ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି ଏଠାରେ କିଛି ଲୋକ ନିଜ କଥା କହିବାକୁ ଆସୁଛନ୍ତି । ହେଲେ ଏଠାରେ ସମସ୍ତଙ୍କ କଥା ଶୁଣାଯାଏ ଓ ସମସ୍ତଙ୍କ ପାଇଁ କୁହାଯାଏ   । ଏହାସହ ସେ ବିରୋଧୀଙ୍କ ଉର୍ଦ୍ଦେଶ୍ୟରେ କହିଛନ୍ତି କି କିଛି ଲୋକଙ୍କ ଭାଷଣ ସରିବା ପରେ ଆଉ କିଛି ଲୋକ ଉଲ୍ଲୋସିତ ହେଉଛନ୍ତି ।

ଏହାସହ ସେ ଦୁର୍ନୀତିକୁ ନେଇ କହିଛନ୍ତି କି ସରକାରୀ ଯୋଜନାରେ ହେଉଥିବା ଦୁର୍ନୀତିରୁ ଏବେ ଲୋକ ମୁକ୍ତି ଚାହୁଁଛନ୍ତି । ଏହାକୁ ବିଜେପି ସରକାର କରି ଦେଖାଉଛି ବୋଲି ସେ ଦାବି କରିଛନ୍ତି । ସରକାରୀ ଯୋଜନା ଏବେ ପକ୍ଷଘାତ ରୋଗରୁ ମୁକ୍ତି ପାଇବାକୁ ଯାଉଛି ।

ସେପଟେ ବୈଶ୍ୱିକ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସାରା ବିଶ୍ୱ ଏବେ ଯୁଦ୍ଧଗୃହରେ ବାଣ୍ଟି ହୋଇଛି । ଏଭଳି ସ୍ଥିତିରେ ଆମେ ଦେଶକୁ ଯେଭଳି ଭାବେ ସମ୍ଭାଳିଛୁ ତାହାଦ୍ୱାରା ଦେଶବାସୀଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ।

ସେହିଭଳି କରୋନା ମହାମାରୀ ବାବଦରେବି ସଂସଦରେ ଅବଗତ କରାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେ କହିଛନ୍ତି କି, କରୋନା ମହାମାରୀ ସମୟରେ ଭାରତ ବିଶ୍ୱର ୧୫୦ଟି ଦେଶକୁ ଔଷଧ ଓ ଟିକା ସହାୟତା କରିଛି । ଏହି କାରଣରୁ ଆଜି ଆନ୍ତର୍ଜାତୀୟ ମଞ୍ଚରେ ଅନେକ ଦେଶ ଖୋଲାମନରେ ଭାରତକୁ ଧନ୍ୟବାଦ ଦେଉଛନ୍ତି ।

ସେପଟେ ବିରୋଧୀମାନଙ୍କ ଏକତା ପଛରେ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ହାତ ଅଛି ବୋଲି ପ୍ରଧାନମନ୍ତ୍ରୀ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ ନିର୍ବାଚନ ମାହୋଲ ବିରୋଧୀଙ୍କ ଏକାଠି କରିପାରି ନଥିବା ବେଳେ ଇଡି ସମସ୍ତ ବିରୋଧୀଦଳଙ୍କୁ ଏକାଠି କରିଛି । ଏହି କାରଣରୁ ସେ ଇଡିକୁ ଧନ୍ୟବାଦ ଦେଇଛନ୍ତି ।