ପୋଟଳ ଚାଷର ଗାଁ ସୁନ୍ଦରଗଡ଼ର ବୁଡ଼ାବାହାଲ । ୬୦ ଏକର ପଡ଼ିଆ ଜମିରେ ଫଳିଛି ସୁନା ଫସଲ । ବର୍ଷକୁ ମିଳୁଛି ୬୦ ଲକ୍ଷ

492

କନକ ବ୍ୟୁରୋ: ପୋଟଳ ଚାଷ କରି ବର୍ଷକ ଆୟ ୬୦ ଲକ୍ଷରୁ ଉଦ୍ଧ୍ୱର୍ । କଥାଟି ଶୁଣିଲେ ଅବିଶ୍ୱାସ ଲାଗୁଥିଲେ ବି ଏହାକୁ ସତ କରି ଦେଖାଇଛନ୍ତି ସୁନ୍ଦରଗଡ ବୁଡାବାହାଲ ଗାଁର ୧୦୨ଟି ପରିବାର । ୬୦ ଏକର ପଡ଼ିଆ ଜମିରେ ପୋଟଳ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ଏମାନେ । କେବଳ ସୁନ୍ଦରଗଡ ନୁହେଁ ସାରା ରାଜ୍ୟରେ ଏମାନଙ୍କ ପୋଟଳର ଚାହିଦା ରହିଛି । ଦିନେ ରୋଜଗାର ନପାଇ ଚିନ୍ତାରେ ଥିବା ଚାଷୀମାନେ ଏବେ ଅନ୍ୟମାନଙ୍କୁ ରୋଜଗାରର ରାହା ଦେଖାଇଛନ୍ତି । ଧୀରେ ଧୀରେ ଏହି ଗାଁ ପୋଟଳ ଚାଷର ଗାଁ ଭାବରେ ପରିଚୟ ପାଇବାରେ ଲାଗିଛି ।

  • ପୋଟଳ ଚାଷର ଗାଁ ବୁଡାବାହାଲ
  • ପଡ଼ିଆ ଜମିରେ ଫଳାଇଛନ୍ତି ସୁନା ଫସଲ
  • ୬୦ ଏକର ହୋଇଛି ପୋଟଳ ଚାଷ
  • ବାର୍ଷିକ ଆୟ ୬୦ ଲକ୍ଷ

ସବୁଜ ଲତାରେ ଭର୍ତ୍ତି ହୋଇଥିବା କ୍ଷେତରେ ଫଳିଛି ସୁନା ଫସଲ । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଭଲ ଫସଲ ହୋଇଥିବାରୁ ଚାଷୀର ଖୁସି କହିଲେ ନସରେ । ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ବୁଡାବାହାଲ ଗାଁର ୧୦୨ଟି ପରିବାର ବର୍ତ୍ତମାନ ପୋଟଳ ଚାଷୀ । ଦିନଥିଲା କେବଳ ନିଜର ଭଲ ଜମିରେ ବର୍ଷକୁ ଗୋଟିଏ ଥର ଧାନ ଚାଷ କରି ଅନ୍ୟ ସମୟରେ ହାତ ବାନ୍ଧି ବସି ରହୁଥିଲେ ଏହି ଗାଁର ଚାଷୀ । ନହେଲେ ଅନ୍ୟକିଛି ରୋଜଗାର ଖୋଜୁଥିଲେ । ୬୦ ଏକର ପଡିଆ ପଡ଼ିଥିଲା । ୪ବର୍ଷ ପୂର୍ବେ ସମସ୍ତେ ମିଶି ଆରମ୍ଭ କରିଥିଲେ ପୋଟଳ ଚାଷ । ପ୍ରଥମେ ଅଳ୍ପ କିଛି ଜମିରେ ଚାଷ କରି ଭଲ ଲାଭ ପାଇବା ପରେ ବର୍ତମାନ ୬୦ ଏକର ଜମିରେ ଏହି ପୋଟଳ ଚାଷ କରି ବର୍ଷକୁ ରୋଜଗାର କରୁଛନ୍ତି ୬୦ ଲକ୍ଷରୁ ଅଧିକ ଟଙ୍କା ।

ରାଜ୍ୟ ସରକାରଙ୍କ ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ–ଟୁ ମାଧ୍ୟମରେ ଏହି ପୋଟଳ ଚାଷ ପାଇଁ ଚାଷୀଙ୍କୁ ପ୍ରବର୍ତ୍ତାଇବା ପରେ ୧୪ଟି ସ୍ୱୟଂ ସହାୟିକା ଗୋଷ୍ଠୀକୁ ଋଣ ପ୍ରଦାନ କରାଯାଇଛି । ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପରେ ଉଦ୍ୟାନ ବିଭାଗ ସହାୟତାରେ ଚାଷୀଙ୍କୁ ନିୟମିତ କୃଷି ଭିତ୍ତିକ ତାଲିମ ଦିଆଯିବା ସହ ବିଭିନ୍ନ ଯନ୍ତ୍ରାଂଶ ମଧ୍ୟ ପ୍ରଦାନ କରାଯାଇଛି । ଚଳିତ ବର୍ଷ ଠାରୁ ଏମାନଙ୍କ ଚାଷର ବିକ୍ରି ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।

ତେବେ ସୁନ୍ଦରଗଡର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବକର ଟିମ୍ ଲିଡର ଦିଗାମ୍ବର ଉପାଧ୍ୟାୟ ଙ୍କ ନିରନ୍ତର ଉଦ୍ୟମ ରେ ଆଜି ୧୦୨ ପରିବାର ଜଣେ ଜଣେ ସଫଳ ପୋଟଳ ଚାଷୀ ହୋଇପାରିଛନ୍ତି । ଏମାନେ କେବଳ ପୋଟଳ ଚାଷ କରି କରି ପୋଟଳ ଫଳାନ୍ତି ନାହିଁ । ପ୍ରତି ୩ବର୍ଷରେ ଥରେ ଏହାର କନ୍ଦା ରାଜ୍ୟର ବିଭିନ୍ନ ଅଞ୍ଚଳକୁ ରପ୍ତାନୀ ମଧ୍ୟ କରିଥାନ୍ତି ।