ବୌଦ୍ଧ ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ସମ୍ବଲପୁରୀ ଶାଢ଼ି । ତନ୍ତରେ ଶାଢ଼ି ବୁଣୁଛନ୍ତି ମା’ ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ।

76

କନକ ବ୍ୟୁରୋ: ଓଡିଶା ହସ୍ତଶିଳ୍ପର ଆଜି ସାରା ବିଶ୍ୱରେ ଚାହିଦା । ବିଶେଷ କରି ସମ୍ବଲପୁରୀ ଶାଢ଼ି ରାଜ୍ୟ, ଦେଶ ସମେତ ବିଦେଶରେ ମଧ୍ୟ ବିଶେଷ ଆଦୃତି ଲାଭ କରିଛି । ଆଉ ଏହି ସମ୍ବଲପୁରୀ ଶାଢ଼ି ହିଁ କିଛି ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବାର ବାଟ ଦେଖାଇଛି । ବିଭିନ୍ନ ପ୍ରକାର ଆକର୍ଷଣୀୟ ଶାଢି ପ୍ରସ୍ତୁତ କରି ବୌଦ୍ଧ ଜିଲ୍ଲାର ଚମ୍ପାପୁର ସ୍ଥିତ ମା’ ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ବେଶ ଲାଭବାନ ହୋଇପାରିଛନ୍ତି ।

କୌଳିକ ବୃତିକୁ ଆପଣାଇ ସ୍ୱାବଲମ୍ବୀ ହୋଇଛନ୍ତି ଏସଏଚଜି ମହିଳା । ବୌଦ୍ଧ ଜିଲ୍ଲାର ଚମ୍ପାପୁର ସ୍ଥିତ ମା’ ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ତନ୍ତରେ ଶାଢ଼ି ବୁଣିବାରେ ବେଶ ସିଦ୍ଧ ହସ୍ତ । ୨୦୧୭ ମସିହାରେ ୧୦ ଜଣ ସଦସ୍ୟାଙ୍କୁ ନେଇ ଗଠିତ ହୋଇଥିବା ଏହି ଗ୍ରୁପର ସମସ୍ତ ସଦସ୍ୟା ମେହେର ସମ୍ପ୍ରଦାୟର । ଶାଢ଼ି ବୁଣିବା ସେମାନଙ୍କ କୌଳିକ ବୃତି ହୋଇଥିବା ବେଳେ ଏହି ବୃତିକୁ ଆପଣାଇ ସେମାନେ ବାର୍ଷିକ ଦେଢ଼ରୁ ଦୁଇ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ନର୍ତକୀ, କୁମ୍ଭ, ପଦ୍ମ, ଚକ୍ର ଓ ଟ୍ରାଇବାଲ ଆର୍ଟ ଭଳି ବିଭିନ୍ନ ଡିଜାଇନର କଟନ ଓ ପାଟ ସୂତାର ବାନ୍ଧ ଓ ବମକେଇ ଶାଢ଼ି ବୁଣି ଭଲ ରୋଜଗାର କରୁଛନ୍ତି । ଯାହା ଦ୍ୱାରା ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିପାରିଛି ।

ଦିନକୁ ଦିନ କଞ୍ଚାମାଲ ପାଇଁ ଅର୍ଥାଭାବ ଯୋଗୁଁ କୌଳିକ ବୃତିରୁ ଦୁରେଇ ଗଲେଣି ଅନେକ ବୁଣାକାର । ଏଭଳି ସ୍ଥିତିରେ ମିଶନ ଶକ୍ତି ସହଯୋଗରେ ମହାଲକ୍ଷ୍ମୀ ଏସଏଚଜି ୩ଲକ୍ଷ ଟଙ୍କା ଆର୍ଥିକ ସହାୟତା ନେଇ ଲୁଗା ବୁଣା କାମ ହାତକୁ ନେଇଛନ୍ତି । ଗୋଟିଏ ଗୋଟିଏ ଶାଢ଼ି ବୁଣିବା ପାଇଁ ଏମାନଙ୍କୁ ୪ରୁ ୫ ଦିନ ସମୟ ଲାଗୁଛି । ସୁତା କାଟିବା, ରଙ୍ଗ କରିବା ଭଳି ସମସ୍ତ କାମ ଏମାନେ ବିନା ମେସିନ୍ରେ କରୁଛନ୍ତି । ମଙ୍ଗା ଓ ହସ୍ତତନ୍ତ ଦ୍ୱାରା ଶାଢ଼ି ବୁଣି ଏମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି ।

ପୂର୍ବରୁ ଶାଢ଼ି ବ୍ୟବସାୟୀଙ୍କ ଠାରୁ ସୁତା ଆଣି ଏମାନେ କମ୍ ପାରିଶ୍ରମିକରେ କାମ କରୁଥିଲେ । ମାତ୍ର ଏବେ ନିଜେ କଞ୍ଚାମାଲ ଆଣି ଶାଢ଼ି ବୁଣୁଛନ୍ତି । ନିଜ ଉତ୍ପାଦିତ ସାମଗ୍ରୀକୁ ସ୍ଥାନୀୟ ହୋଲସେଲର, ଓରମାସ୍ ଓ ବୟନିକା ଭଳି ସଂସ୍ଥା ମାଧ୍ୟମରେ ବିକ୍ରି କରୁଛନ୍ତି । ଏହି ଗ୍ରୁପ୍ର ସଦସ୍ୟା ବାର୍ଷିକ ୭୦୦ରୁ ଏକ ହଜାର ଖଣ୍ଡ ଶାଢ଼ି ବୁଣି ବେଶ ପ୍ରଶଂସା ସାଉଁଟୁଛନ୍ତି ।