ବିକାଶ ଧାରାରେ ସାମିଲ ହେବେ ଯୁବବର୍ଗ । ସରକାରକୁ ଆସିଲେ ଆଣିବେ ୧ ଲକ୍ଷ କୋଟିର ସ୍ୱତନ୍ତ୍ର ବଜେଟ୍

55

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଘୋଷଣାକୁ ନେଇ କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ଚର୍ଚ୍ଚା ହେଉଛି। ତାହା ହେଉଛି ଯୁବସମାଜ ପାଇଁ ଏକ ସ୍ବତନ୍ତ୍ର ବଜେଟ ସମ୍ପର୍କରେ ଘୋଷଣା। ପୂର୍ବରୁ ଓଡ଼ିଶା ସରକାର କୃଷି ପାଇଁ ଏକ ସ୍ବତନ୍ତ୍ର ବଜେଟ ଆଣି ଯେପରି ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲେ, ଯୁବ ବଜେଟକୁ ନେଇ ମଧ୍ୟ ରାଜ୍ୟରେ ସେହିଭଳି ଚର୍ଚ୍ଚା ହେଉଛି ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଯୁବପୀଢିଙ୍କ ବିକାଶ ପାଇଁ ଆସନ୍ତା ୧୦ ବର୍ଷରେ ୧ ଲକ୍ଷ କୋଟିର ବଜେଟ ପ୍ରସ୍ତୁତ କରାଯାଇଛି। ଯୁବବର୍ଗଙ୍କ ବିକାଶ ପାଇଁ ବଜେଟରେ ଏପରି ସ୍ବତନ୍ତ୍ର ଗୁରୁତ୍ବ ଦେବା ସମଗ୍ର ଦେଶରେ ପ୍ରଥମ। ଏହି ଯୁବ ସାଧାରଣ ବଜେଟ୍ ଏବଂ ଜେଣ୍ଡର ବଜେଟ୍ ବିଧାନସଭାରେ ଉପସ୍ଥାପିତ ହେବ। ଯୁବବର୍ଗମାନଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶକୁ ଆଧାର କରି ପ୍ରତିବର୍ଷ ଏଥିରୁ ହଜାରେ କୋଟି ଟଙ୍କା ଖର୍ଚ୍ଚ ହେବ।

ଭାରତର ମୋଟ ଜନସଂଖ୍ୟାର ଏକ ବଡ଼ ଭାଗ ହେଉଛନ୍ତି ଯୁବବର୍ଗ। ଏହାସତ୍ତ୍ବେ ଯୁବବର୍ଗଙ୍କ ସ୍ବତନ୍ତ୍ର ବିକାଶ କଥା ଆଜି ପର୍ୟ୍ୟନ୍ତ କୌଣସି ରାଜ୍ୟ ସରକାର ଚିନ୍ତା କରି ନ ଥିଲେ। କିନ୍ତୁ ଓଡ଼ିଶା ସରକାର ଏକ୍ଷେତ୍ରରେ ସମଗ୍ର ଦେଶର ପଥ ପ୍ରଦର୍ଶନ କରିଛନ୍ତି।

ଓଡ଼ିଶା ଜନସଂଖ୍ୟାର ୬୪ପ୍ରତିଶତଙ୍କ ବୟସ ୩୫ବର୍ଷରୁ କମ। ପୁଣି ରାଜ୍ୟ ଜନସଂଖ୍ୟାର ଅର୍ଦ୍ଧେକଙ୍କ ବୟସ ୨୫ବର୍ଷରୁ କମ।ଏଣୁ ଏମାନଙ୍କ ବିକାଶର ଅର୍ଥ ହେଉଛି ସମଗ୍ର ଓଡ଼ିଶାର ବିକାଶ କରିବା ସହ ସମାନ। ଏଣୁ ଯୁବବର୍ଗଙ୍କ ଲାଗି ଆସନ୍ତା ୧୦ବର୍ଷ ପାଇଁ ୧ ଲକ୍ଷ କୋଟିର ବଜେଟର ପରିକଳ୍ପନା କରିବା ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ପରିଚାୟକ।

ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନା ସଫଳ ହେଲେ ତାହା କେବଳ ଯୁବବର୍ଗଙ୍କ ବିକାଶ କରିବ ତାହା ନୁହେଁ, ସମଗ୍ର ରାଜ୍ୟକୁ ଏକ ନମ୍ବର କରିବା ଦିଗରେ ସବୁଠାରୁ ବଡ଼ ଅବଦାନ ଦେବ। ତେବେ ସ୍ବତନ୍ତ୍ର ଯୁବ ବଜେଟର ଘୋଷଣା ପୂର୍ବରୁ ହିଁ ରାଜ୍ୟ ସରକାର ଯୁବ ବିକାଶ ପାଇଁ ଅନେକ ପଦକ୍ଷେପ ନେଇ ଆସୁଛନ୍ତି। ଆଗାମୀ ଦିନରେ ଏସବୁର ପରିସରକୁ ଆହୁରି ବୃଦ୍ଧି କରିବାକୁ ସରକାର ଘୋଷଣା କରିଛନ୍ତି।

ନୂଆ ‘ଓ’ ମ୍ୟାଜିକ କାଦର୍ଡ ଦ୍ୱାରା ଏକାଧିକ ସୁବିଧା ସୁଯୋଗ ସହିତ ପରିସର ବିସ୍ତାର ହେବ। ନୂଆ ‘ଓ’ଛାତ୍ରବୃତ୍ତି ବାଳିକାମାନଙ୍କ ପାଇଁ ବାର୍ଷିକ ୧୪,୦୦୦ ଏବଂ ପୁଅମାନଙ୍କ ପାଇଁ ବାର୍ଷିକ ୧୨,୦୦୦ ଟଙ୍କାକୁ ବୃଦ୍ଧି କରାଯିବ। ଆସନ୍ତା ପାଞ୍ଚବର୍ଷରେ ୨ ଲକ୍ଷ ସରକାରୀ ଚାକିରି ଯୋଗାଇ ଦିଆଯିବ। ସ୍ୱୟମ୍ ଉଦ୍ୟୋଗୀ ଋଣକୁ ବ୍ୟାପକ କଭରେଜ ସହିତ ଏକ ଲକ୍ଷରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।