ମୁଷ୍ଟିଯୋଦ୍ଧା ଶ୍ରୀକାନ୍ତ ଶେଖରଙ୍କୁ ମିଳୁନି ନ୍ୟାୟ । ଜନ୍ମମାଟି ନିଆଳିରେ ନ୍ୟାୟ ଦାବିରେ ପ୍ରତିବାଦ ।

146

କନକ ବ୍ୟୁରୋ: ଓଡିଆ ଖେଳାଳିଙ୍କୁ ଭାରତୀୟ ମିକ୍ସଡ୍ ମାର୍ଶାଲ ଆର୍ଟ ବା ଏମଏମଏ ଫାଇଟର୍ ଶ୍ରୀକାନ୍ତ ଶେଖରଙ୍କୁ ଆକ୍ରମଣ ପ୍ରତିବାଦରେ ନିଜ ଜନ୍ମ ମାଟିରେ ଲୋକଙ୍କ ଆକ୍ରୋଶ । ଶ୍ରୀକାନ୍ତ ଶେଖରଙ୍କୁ ଦିଲ୍ଲୀରେ ମରଣାନ୍ତକ ଆକ୍ରମଣ ଘଟଣାରେ ଶହ ଶହ ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଘଟଣାକୁ ବିରୋଧ କରି ଦୀପାଞ୍ଚଳ ସଚେତନ ନାଗରିକ ମଞ୍ଚ ପକ୍ଷରୁ ପ୍ରତିବାଦ ସଭା କରିବା ସହ ଶୋଭାଯାତ୍ରା କରାଯାଇଛି । ଏଥିରେ ଶ୍ରୀକାନ୍ତଙ୍କ ପରିବାର ଲୋକ ବି ସାମିଲ ହୋଇଥିଲେ ।

ଆକ୍ରମଣ ପ୍ରତିବାଦରେ ନିଆଳିର ଦୀପାଞ୍ଚଳ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଶୋଭାଯାତ୍ରା କରାଯାଇଛି । ନିଆଳି ଥାନା ଛକରୁ ଏକ ଶୋଭାଯାତ୍ରା ବାହାରି ନିଆଳି ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲା । ସେଠାରେ ରାଜ୍ୟପାଳଙ୍କୁ ନିଆଳି ତହସିଲଦାର ଜରିଆରେ ଏକ ଦାବିପତ୍ର ଦେଇଥିଲେ । ସେମାନଙ୍କ ଦାବି ଥିଲା ଦୋଷୀଙ୍କୁ ଗିରଫ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

ଗତମାସରେ ଦିଲ୍ଲୀରେ ଭାରତୀୟ ମିକ୍ସଡ୍ ମାର୍ଶାଲ ଆର୍ଟ ବା ଏମଏମଏ ଫାଇଟର୍ ଶ୍ରୀକାନ୍ତ ଶେଖରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଆଫଗାନ୍ ଫାଇଟର୍ ଅବଦୁଲ ବଦାକସି ଓ ତାଙ୍କ ସମର୍ଥକ । ଆକ୍ରମଣରେ ଶ୍ରାକାନ୍ତ ଶେଖରଙ୍କ ମାଢ଼ି ଭାଙ୍ଗିଯାଇଥିଲା । ଏବେ ବି ସେ ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ଦୋଷୀଙ୍କ ବିରୋଧରେ ଏଯାଏଁ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ , ଯାହାକୁ ନେଇ ବଢୁଛି ଅସନ୍ତୋଷ ।