୩୦ ବର୍ଷ ପରେ ବେଲଜିୟମରୁ ଫେରିଲେ କନ୍ଧମାଳର ଝିଅ: ସ୍ୱାମୀଙ୍କ ସହ ଆସି ବାପାଙ୍କୁ ଭେଟିଲେ, ହାଲଚାଲ ବୁଝିଲେ

1,713

କନକ ବ୍ୟୁରୋ: ମାଆର ମୃତ୍ୟୁ ପରେ ୩ ମାସର ଝିଅକୁ ଆଶ୍ରମରେ ଛାଡି ଦେଇଥିଲେ ବାପା । ୩୦ ବର୍ଷ ପରେ ନିଜ ଜନ୍ମମାଟିକୁ ଫେରିଛି ଝିଅ । ଆଶ୍ରମରୁ ପୋଷ୍ୟ ହୋଇ ବେଲଜିଅମ୍ ଚାଲିଯାଇଥିବା କନ୍ଧମାଳ ଝିଅ ମାମିନା ନିଜ ଜନ୍ମିତ ବାପାଙ୍କୁ ଭେଟିବାକୁ ଫେରିଛି କନ୍ଧମାଳ ।

କନ୍ଧମାଳ ରାଇକିଆ ବ୍ଲକ ଗୁଜାପାଙ୍ଗା ଗାଁର ଦୃଶ୍ୟ ୩୦ ବର୍ଷ ପରେ ଜନ୍ମିତ ବାପାକୁ ଭେଟୁଛି ଝିଅ । ମାଆର ମୃତ୍ୟୁ ପରେ ୩ମାସର ଝିଅକୁ ଆଶ୍ରମରେ ଛାଡି ଦେଇଥିଲେ ବାପା । ପରବର୍ତି ସମୟରେ ବଦଳି ଯାଇଥିଲା କୁନି ଝିଅର ଠିକଣା । କନ୍ଧମାଳ ଝିଅର ଠିକଣା ପାଲଟିଯାଥିଲା ବେଲଜିୟମ୍ । ୩ ମାସର ଝିଅ ଏବେ ୩୦ ବର୍ଷର ହୋଇଯାଇଛି । ଆଉ ନିଜ ଜନ୍ମମାଟିର ଠିକଣା ଖୋଜି ସ୍ୱାମୀଙ୍କ ସହ ଜନ୍ମିତ ବାପାଙ୍କୁ ଭେଟିବାକୁ ବେଲଜିୟମ୍ରୁ କନ୍ଧମାଳ ଆସିଛି । ଏ କାହାଣୀ ହେଉଛି, କନ୍ଧମାଳ ରାଇକିଆ ବ୍ଲକ ଗୁଜାପାଙ୍ଗା ଗାଁର କୃଷ୍ଣଚନ୍ଦ୍ର ରଣାଙ୍କ ଝିଅ ମାମିନାଙ୍କର । ୧୯୯୩ ମସିହାରେ ମାମିନା ୩ ମାସର ହୋଇଥିବା ବେଳେ ତାଙ୍କ ମାଆଙ୍କର ଦେହାନ୍ତ ହୋଇଥିଲା । ମା’ ଆରପାରିକୁ ଚାଲିଯିବା ପରେ ମାମିନାଙ୍କ ଲାଳନପାଳନ କରିନପାରି, ତାଙ୍କୁ ଜି.ଉଦୟଗିରି ସୁଭଦ୍ରା ମହତାବ ଆଶ୍ରମରେ ଛାଡି ଦେଇଥିଲେ ।

ଆଶ୍ରମରେ ଛାଡିବାର କିଛି ବର୍ଷ ପରେ ର୍ ପରେ ବେଲଜିୟମ୍ର ଏକ ଦମ୍ପତି ମାମିନାଙ୍କୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରି ନିଜ ଦେଶକୁ ନେଇ ଯାଇଥିଲେ । ସେଠାରେ ମାମିନା ପାଠପଢି ବେଶ ଉଚ୍ଚ ଶିକ୍ଷିତା ହୋଇଛନ୍ତି ।

ଜନ୍ମ ସ୍ଥାନକୁ ଫେରିବାର ବାଟ ଫିଟାଇଛି କମ୍ବୋଡିଆ ଗସ୍ତ
ଆଙ୍ଗ୍ଲୋ-ଇଣ୍ଡିଆନ ପ୍ରଶ୍ନର ଉତ୍ତର ଖୋଜି ପାଇଛନ୍ତି ନିଜର ପ୍ରକୃତ ପରିଚୟ

କିଛି ବର୍ଷ ତଳେ ମାମିନା କମ୍ବୋଡିଆ ବୁଲି ଯାଇଥିବା ବେଳେ ଆଙ୍ଗ୍ଲୋ ଇଣ୍ଡିଆନ୍ମାନେ ତାଙ୍କୁ ଆପଣ ଆଙ୍ଗୋ-ଇଣ୍ଡିଆନ ବୋଲି ପ୍ରଶ୍ନ କରିଥିଲେ । ସେଦିନ ସେହି ପ୍ରଶ୍ନର ଉତର ଦେଇ ପାରିନଥିବା ମାମିନା ଘରକୁ ଫେରି, ପାଳିତା ବାପା-ମାଆଙ୍କ ତାଙ୍କ ପ୍ରକୃତ ପରିଚୟ ବାବଦରେ ପଚାରିଥିଲେ । ଏହାପରେ ବେଲଜିୟମ୍ର ଦମ୍ପତି ମାମିନାଙ୍କୁ କହିଥିଲେ, କନ୍ଧମାଳରୁ ବେଲଜିୟମ୍ ଯାତ୍ରା ବାବଦର ପୁରା କାହାଣୀ । ଏହାପରେ ନିଜ ଜନ୍ମମାଟିକୁ ଫେରିବା ପାଇଁ ପୁନେର ଉଚ୍ଚ ନ୍ୟାୟାଳୟର ମହିଳା ଆଇନ୍ଜୀବୀ ଅଂଜ ପାୱାରଙ୍କୁ ଯୋଗାଯୋଗ କରିଥିଲେ । ଆଉ ଏବେ ଅଂଜ ପାୱାରଙ୍କ ମାଧ୍ୟମରେ ଭାରତ ଆସି, ଜି.ଉଦୟଗିରି ସୁଭଦ୍ରା ମହତାବ ଆଶ୍ରମରେ ନିଜ ବାପାଙ୍କୁ ଭେଟିଛନ୍ତି ମାମିନା ।