କଳାକାର କାହିଁକି ଛାଡୁଛନ୍ତି ଯାତ୍ରା ପାର୍ଟି? ଅଧିକ ଅର୍ଥର ପ୍ରଲୋଭନ ନା ମାଲିକଙ୍କ ସହ ବିବାଦ?

197

କନକ ବ୍ୟୁରୋ: କରୋନା ଯୋଗୁଁ ଖରାପ ସ୍ଥିତି ଦେଇ ଗତିକରୁଛି ଯାତ୍ରାଜଗତ । ଯାତ୍ରା ଜଗତ ଏବେ ଅଂଟା ସଳଖିବାକୁ ପ୍ରସ୍ତୁତ ହେଉଥିବାବେଳେ ବଡ କଳାକାର ଟଙ୍କା ନେଇ ଦଳ ଛାଡିବା ଯାତ୍ରାପାର୍ଟିଗୁଡିକ ପାଇଁ ନୂଆ ସମସ୍ୟା ସୃଷ୍ଟି କରିଛି । ଧିରେ ଧିରେ ପଦାକୁ ଆସୁଛି ଯାତ୍ରା ପାର୍ଟିର ଗୁମର କଥା ।

ଯାତ୍ରା କଳାକାର ଦୈତାରୀ ପଣ୍ଡା ପାର୍ବତୀ ଗଣନାଟ୍ୟରୁ ୧୫ ଲକ୍ଷ ଅଗ୍ରୀମ ନେଇଥିବା ଅଭିଯୋଗ ଆସିବା ଏବେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି । ପାର୍ବତୀ ଗଣନାଟ୍ୟ ମାଲିକ ଦୈତାରୀଙ୍କୁ ଟଙ୍କା ଦେଇଥିବା ଦାବି କରୁଥିବାବେଳେ ଦୈତାରୀ କିନ୍ତୁ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଅନେକ କ୍ଷେତ୍ରରେ କଳାକାର ବୁଝାମଣାର ଖିଲାପ କରୁଥିବା ଦେଖାଯାଇଛି । ପ୍ରଶ୍ନ ଉଠୁଛି

ଯାତ୍ରା ପାର୍ଟିରେ କଣ ଚାଲିଛି, କିଏ କହୁଛି ସତ ?
-ଉଭୟ ମାଲିକ ଓ କଳାକାର ଭିତରେ ବୁଝାମଣାର ଅଭାବ ରହୁଛି କି ?

ଯାତ୍ରା କଳାକାରଙ୍କ ମତରେ ଯାତ୍ରାକୁ ନେଇ କଳାକାର । ତେଣୁ ବୁୁଝାମଣା ଯଦି ଆଇନଗତ ପ୍ରକ୍ରିୟା ଭିତରେ ହୁଏ ତାହାହେଲେ ଏଭଳି ସମସ୍ୟା ସୃଷ୍ଟି ହୁଅନ୍ତା ନାହିଁ । ଯାତ୍ରାରେ କଳାକାର ଓ ମାଲକିଙ୍କ ମଧ୍ୟରେ ବିବାଦ କିଛି ନୂଆ କଥା ନୁହେଁ । ଏଭଳି କ୍ଷେତ୍ରରେ ବିବାଦ ହୁଏ ଓ ଆପୋଷ ବୁଝାମଣା ବି ହୁଏ । କାରଣ ଏହା ହେଲେ ଉଭୟଙ୍କର ବେଶୀ କ୍ଷତି ହେବାର ସମ୍ଭାବନା ଥାଏ । ଟଙ୍କା ନେଇ ଯଦି ଏଭଳି କିଛି ହୁଏ ତାହାହେଳେ ମାଲିକ ମାନେ ଏ ଦିଗରେ ଚିନ୍ତା କରିବା ଦରକାର, କାହିଁକି କଳାକାର ଟଙ୍କା ନେଇ ଅନ୍ୟ ପାର୍ଟିକୁ ଯାଉଛନ୍ତି । ବୁଝାମଣାର ଖିଲାପ ହେବାର ଯଦି ପ୍ରମାଣ ମିଳେ ତେବେ ଦଣ୍ଡ ବିଧାନ ହେବା ଆବଶ୍ୟକ । ତେବେ ଏ ଦିଗରେ ଯାତ୍ରାମାଲିକ ଅଧିକ ଯତ୍ନବାନ ହେବା ଦରକାର ବୋଲି ଅନେକ ମତ ଦେଇଛନ୍ତି ।

ଯାତ୍ର ପାର୍ଟି ଗୁଡିକରେ ସମସ୍ୟାର ସମାଧାନ ପାଇଁ ସଂଘ ରହିଥିଲା । ସବୁ କଳାକାରଙ୍କ ଦରମା ବି ନିର୍ଦ୍ଧାରଣ କରାଯାଇଥିଲା । କିନ୍ତୁ ଯାତ୍ରା ମାଲିକ ଓ ବରିଷ୍ଠ କଳାକାରଙ୍କ ମଧ୍ୟରେ ଭିତିର ବୁଝାମଣା ଯୋଗୁଁ ସଂଘ କଥା କେହି ମାନୁନାହାନ୍ତି । ଫଳରେ ବାରମ୍ବାର କଳାକାର ଓ ମାଲିକଙ୍କ ମଧ୍ୟରେ ବିବାଦ ଦେଖାଦେଉଛି ।