ସରକାରଙ୍କ ଚାପରେ ନୁହେଁ ବରଂ ଭୁଲରେ ବ୍ଲକ ହୋଇଯାଇଥିଲା  # ରିଜାଇନ ମୋଦି କୋ : ଫେସବୁକ୍ ।

239

କନକ ବ୍ୟୁରୋ : ସୋସିଆଲ ନେଟୱାକିଂ ସାଇଟ୍ ‘ଫେସବୁକ୍’ ହାସଟାଗ୍ ରିଜାଇନ ମୋଦି କୋ, ସହିତ କରାଯାଇଥିବା ପୋଷ୍ଟଗୁଡିକୁ ବ୍ଲକ କରିଦେଇଥିଲା । ଏହାର କିଛି ଘଂଟା ପରେ ପୁଣି ଏହାକୁ ରିଷ୍ଟୋର କରିଥିଲା । ଯାହାକୁ ନେଇ ବିବାଦ ଉପୁଜିଛି । କିଛି ଲୋକ ଅଭିଯୋଗ ଆଣିଥିଲେ କି ଫେସବୁକ୍ ତରଫରୁ ଏଭଳି ପ୍ରତିବନ୍ଧକ ସରକାରଙ୍କ ଚାପରେ ଲଗାଯାଇଛି । ଏଭଳି ଅଭିଯୋଗ ଆସିବା ପରେ ଫେସବୁକ୍ ସ୍ପଷ୍ଟ କରିଛି ଯେ ଏଭଳି ବ୍ଲକ ଭୁଲରେ ହୋଇଯାଇଥିଲା । ସରକାରଙ୍କ ଚାପରେ ଏଭଳି କରାଯାଇନାହିଁ ବୋଲି ଫେସବୁକ୍ ସଫେଇ ଦେଇଛି ।

ଅନ୍ୟପଟେ ଅନେକ କାରଣ ପାଇଁ ଫେସବୁକ୍ ବିଭିନ୍ନ ସମୟରେ ହାସଟ୍ୟାଗକୁ ବ୍ଲକ କରିଥାଏ । କିଛି ହାସଟ୍ୟାଗ ମାନୁଆଲି ବ୍ଲକ ହେଉଥିବା ବେଳେ କିଛି ହାସଟ୍ୟାଗ ଫେସବୁକ ଗାଇଡଲାଇନ୍ ମୁତାବକ ଅଟୋମେଟିକ୍ ବ୍ଲକ ହୋଇଯାଇଥାଏ । ଫେସବୁକର ପ୍ରବକ୍ତା କହିଛନ୍ତି କି ଭୁଲରେ ଏଭଳି ହୋଇଛି ।

କହିରଖୁ କି, ପଶ୍ଚିମବଙ୍ଗରେ ଶେଷ ପର୍ଯ୍ୟାୟ ମତଦାନର କିଛି ଘଂଟା ପୂର୍ବରୁ ଏହି ପୋଷ୍ଟଗୁଡିକୁ ବ୍ଲକ କରାଯାଇଥିବାରୁ ଏହାକୁ ନେଇ ବିବାଦ ଉପୁଜିଥିଲା । ହେଲେ ଏହା ଭୁଲରେ ହୋଇଛି ବୋଲି ଫେସବୁକ୍ ପ୍ରବକ୍ତା ସଫେଇ ଦେବା ପରେ ଏହି ପୋଷ୍ଟଗୁଡିକୁ ପୁଣି ରିଷ୍ଟୋର କରିଛନ୍ତି ।

ଦେଶରେ କରୋନା ମହାମାରୀକୁ ପରିଚାଳନା କରିପାରୁନଥିବା ଓ କରୋନା କାଳରେ ନିର୍ବାଚନ ପ୍ରଚାର କରି ସଂକ୍ରମଣ ବୃଦ୍ଧି କରିଥିବା ଅଭିଯୋଗ ଆଣି କିଛି ଲୋକ ‘ହାସଟ୍ୟାଗ୍ ରିଜାଇନ ମୋଦି କୋ’ ପୋଷ୍ଟ କରିଥିଲେ । ଏହା ବି ଟ୍ରେଣ୍ଡିଂ ହେଉଥିଲା ।