ବାହାର ଖେଳାଳିଙ୍କୁ ହଁ, ଓଡିଆ ଖେଳାଳିଙ୍କୁ ନା । ଓଡିଶା କ୍ରୀଡା ବିଭାଗ ବିରୋଧରେ ସାଂଘାତିକ ଅଭିଯୋଗ

340

କନକ ବ୍ୟୁରୋ: କଳିଙ୍ଗ ଷ୍ଟାଡିୟମରେ ଜିମ୍ନାଷ୍ଟିକ ଖେଳାଳି ଓ ଅଭିଭାବକଙ୍କ ସମୂହ ଅସନ୍ତୋଷ । ଆଉ ଏହାର କାରଣ କାରଣ ବି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଜିମ୍ନାଷ୍ଟିକ ଟିମ ରାଜ୍ୟର ,କିନ୍ତୁ ଏଥିରେ ଖେଳୁଛନ୍ତି ରାଜ୍ୟ ବାହାରର ଖେଳାଳି ।

କଳିଙ୍ଗ ଷ୍ଟାଡିମୟରେ ଆରମ୍ଭ ହୋଇଛି ଜାତୀୟ ସିନିୟର ଓ ଜୁନିୟର ଜିମ୍ନାଷ୍ଟିକ ଚାମ୍ପିୟନସିପରେ ଓଡିଆ ଖେଳାଳିଙ୍କୁ ଅବହେଳା ହୋଇଥିବା ଅଭିଯୋଗ ଆସିଛି । ଏଥିରେ ବିଭିନ୍ନ ରାଜ୍ୟର ଖେଳାଳି ଭାଗ ନେଉଛନ୍ତି । କିନ୍ତୁ ଓଡିଶାରୁ ଯାଇଥିବା ୬ ଜଣିଆ ସିନିୟର ମହିଳା ଟିମରେ ୩ ଜଣ ଓଡିଆ ଥିବାବେଳେ ଆଉ ୩ ଜଣ ଖେଳାଳି ଅଣଓଡିଆ ଥିବା ଜଣାପଡିଛି । ଯାହାକୁ ନେଇ ଜିମ୍ନାଷ୍ଟିକ ଖେଳାଳି ଓ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ରାଜ୍ୟର ଜିମ୍ନାଷ୍ଟିକ ଟିମ ପାଇଁ ଖେଳାଳି ଚୟନ ଦାୟିତ୍ୱ ରାଜ୍ୟ କ୍ରୀଡା ବିଭାଗର । ଯେହେତୁ ଟିମ ଓଡିଶାର ତେଣୁ ସମସ୍ତ ୬ ଖେଳାଳି ରାଜ୍ୟର ହେବା କଥା । କିନ୍ତୁ ଟ୍ରାଏଲ ବେଳେ ଓଡିଆ ଖେଳାଳିଙ୍କୁ ବାଦ୍ ଦିଆଯାଇ ଅଣଓଡିଆ ଖେଳାଳିଙ୍କୁ ଚୟନ କରାଯାଇଥିବା ଅଭିଯୋଗ ହେଇଛି । ୬ ଜଣ ଖେଳାଳିଙ୍କ ମଧ୍ୟରୁ ୩ ଜଣ ଓଡିଆ ହୋଇଥିବାବେଳେ ୨ ଜଣ ଉତ୍ତରପ୍ରଦେଶର ହୋଇଥିବାବେଳେ ଜଣେ ପଶ୍ଟିମବଙ୍ଗର । ଏହି ଅଣଓଡିଆ ଖେଳାଳି ହେଲେ ତନୁ ରାଜପୁତ, କରିସ୍ମା ରାଜପୁତ ଓ ଅଦିତା ମଣ୍ଡଳ । ଏମାନେ ଏନଓସି ଆଣି ଓଡିଶା ଦଳରେ ସାମିଲ ହୋଇଛନ୍ତି । ଆଉ ଟିମ ଚୟନ ତରବରିଆ ଭାବେ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଜିମ୍ନାଷ୍ଟିକ ଆସୋସିଏନ ସଫେଇ ଦେଇଛି, କାହାକୁ ଅବହେଳା କରାଯାଇନାହିଁ । ମାନଦଣ୍ଡ ଆଧାରରେ ଖେଳାଳି ଚୟନ ହୋଇଛି ।

ପୁରୀ, କଟକ ଓ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟର ଜିମ୍ନାଷ୍ଟିକ ଖେଳାଳି ତାଲିମ ନେଉଛନ୍ତି । ଜାତୀୟ ମାନଦଣ୍ଡ ପୂରଣ କରୁଥିବା ଖେଳାଳି ବି ଅଛନ୍ତି । ହେଲେ ପ୍ରଶ୍ନ ଉଠୁଛି…

  • କଳିଙ୍ଗ ଷ୍ଟାଡିୟମରେ ଜିମ୍ନାଷ୍ଟିକ କେନ୍ଦ୍ର ଥିଲେ ବି କାହିଁକି ଓଡିଆ ଖେଳାଳିଙ୍କୁ ଅବହେଳା କରାଯାଇଛି?
  • ଓଡିଶା ଦଳରେ କାହିଁକି ଖେଳିବେ ଅଣଓଡିଆ ଖେଳାଳି?