ଇତିହାସ ରଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ଭାରତ-ଚୀନ ସୀମା ଆକାଶରେ ଉଡ଼ିଲେ, ସୁଖୋଇ ଯୁଦ୍ଧ ବିମାନରେ ୩୦ ମିନିଟର ଉଡ଼ାଣ

187

କନକ ବ୍ୟୁରୋ: ବାୟୁସେନା ପୋଷାକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସାମର ତେଜପୁର ବାୟୁସେନା ଘାଟିରୁ ଉଡାଣ ଭରିବା ପାଇଁ ପ୍ରସ୍ତୁତ ଦେଶର ପ୍ରଥମ ନାଗରିକ । ତିନି ସେନାର ସୁପ୍ରିମ କମାଣ୍ଡର ଭାବରେ, ଦେଶର ସାମରିକ ଶକ୍ତି, ଅସ୍ତ୍ରଶସ୍ତ୍ର ଓ ରଣନୀତି ବାବଦରେ ରାଷ୍ଟ୍ରପତିଙ୍କୁ ଅବଗତ କରାଯାଏ । ସେହିକ୍ରମରେ ୩ ଦିନିଆ ଆସମ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ତେଜପୁର ଏୟାରଫୋର୍ସ ଷ୍ଟେସନରୁ ସୁଖୋଇ- ୩୦ ଏମକେଆଇ ଯୁଦ୍ଧ ବିମାନରେ ଉଡିଛନ୍ତି । ବାୟୁସେନାର ଗ୍ରୁପ କ୍ୟାପଟେନ୍ ନବୀନ କୁମାର ତିୱାରୀ ତାଙ୍କୁ ସୁଖୋଇ ଯୁଦ୍ଧ ବିମାନରେ ବସାଇ ଭାରତ-ଚୀନ ସୀମା ଆକାଶରେ ଉଡାଇଛନ୍ତି । ଭାରତର ଏକ ଦୁର୍ଦ୍ଦର୍ଶ ଯୁଦ୍ଧ ବିମାନ ସୁଖୋଇରେ ବସି ଯେତେବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚୀନ ସୀମାର ଅତି ନିକଟରେ ଉଡୁଥିଲେ, ସେହି ଦୃଶ୍ୟ ପ୍ରତିଟି ଓଡ଼ିଆଙ୍କ ମନରେ ଅସୀମ ଗର୍ବ ଆଣିଦେଇଥିଲା । ଯଦିଓ ଚତୁର୍ଥ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଯୁଦ୍ଧ ବିମାନରେ ଉଡିଛନ୍ତି ତଥାପି ଏହା ବିଭିନ୍ନ ଦୃଷ୍ଟିକୋଣରୁ ଭିନ୍ନ ।

ଯୁଦ୍ଧ ବିମାନରେ ଉଡ଼ିଲେ ରାଷ୍ଟ୍ରପତି
– ପ୍ରାୟ ୩୦ ମିନିଟ୍ ଧରି ସୁଖୋଇ ଯୁଦ୍ଧ ବିମାନରେ ଉଡ଼ିଛନ୍ତି ରାଷ୍ଟ୍ରପତି
– ଆସମର ତେଜପୁର ବାୟୁସେନା ଘାଟିରୁ ଉଡ଼ିଲେ ଦ୍ରୌପଦୀ ମୁର୍ମୁ
– ଭାରତ-ଚୀନ ସୀମାର ଅତି ନିକଟରେ ଅଛି ଜେତପୁର ବାୟୁସେନା ଘାଟି
– ପୂର୍ବରୁ ଏପିଜେ ଅବଦୁଲ କଲାମ, ପ୍ରତିଭା ପାଟିଲ ଓ ରାମନାଥ କୋବିନ୍ଦ ଯୁଦ୍ଧ ବିମାନରେ ଉଡି଼ଥିଲେ
– ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଭାବେ ଯୁଦ୍ଧ ବିମାନରେ ଉଡି଼ଛନ୍ତି ଦ୍ରୌପଦୀ ମୁର୍ମୁ

ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନରେ ବ୍ରହ୍ମପୁତ୍ର ନଦୀ ଓ ତେଜପୁର ଘାଟି ଦେଇ ପୁଣି ତେଜପୁର ଏୟରଫୋର୍ସ ଷ୍ଟେସନରେ ପହଂଚିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିମାନଟି ସମୁଦ୍ର ପତନର ପ୍ରାୟ ୨ କିଲୋମିଟର ଉଚ୍ଚତାରେ ଉଡାଣ ଭରିବା ସହ ଘଂଟା ପ୍ରତି ଏହାର ବେଗ ଥିଲା ୮୦୦ କିଲୋମିଟର । ରୁଷିଆ ନିର୍ମିତ ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନ ୨୦୦୨ରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା । ଭାରତୀୟ ବାୟୁସେନାରେ ପ୍ରାୟ ୨୬୦ଟି ସୁଖୋଇ-୩୦ ଯୁଦ୍ଧ ବିମାନ ଥିବା ସୂଚନା ମିଳିଛି । ସର୍ବାଧିକ ୨ ହଜାର ୧୨୦ କିମି ବେଗରେ ଗତି କରିପାରେ ସୁଖୋଇ-୩୦ ଯୁଦ୍ଧ ବିମାନ । ଆକଶରେ ପ୍ରାୟ ୩ ହଜାର କିଲୋମିଟର ଉପରକୁ ଉଡ଼ାଣ ଭରିପାରେ । ଆକଶରୁ ଆକାଶକୁ ଓ ଆକାଶରୁ ଭୂ-ପୃଷ୍ଠକୁ ମାଡ଼ କରିପାରେ ମିଜାଇଲ । ଆଂଟି ସିପ୍ ଓ ଆଂଟି ରେଡିଏସନ ମିଜାଇଲ ମାଡ କରିବାର କ୍ଷମତା ସୁଖୋଇ-୩୦ ଯୁଦ୍ଧ ବାମିନ ନିକଟରେ ରହିଛି ।

ଯାତ୍ରା ଶେଷ କରିବା ପରେ ରାଷ୍ଟ୍ରପତି ଭିଜିଟର୍ସ ବୁକ୍ରେ ଲେଖିଛନ୍ତି, ‘ସୁଖୋଇ ଲଢୁଆ ବିମାନରେ ଉଡ଼ାଣ ଭରିବା ମୋ ପାଇଁ ରୋମାଂଚଭରା ଅନୁଭୂତି ଥିଲା । ଏହା ଗର୍ବର ବିଷୟ ଯେ, ଭାରତର ପ୍ରତିରକ୍ଷା ସାମର୍ଥ୍ୟ ଜଳ, ସ୍ଥଳ ଓ ବାୟୁ ସବୁ ଦିଗକୁ ସମ୍ପ୍ରସାରିତ ହୋଇଛି । ଏହି ଉଡ଼ାଣ ପାଇଁ ବାୟୁସେନା ଓ ତେଜପୁର ବାୟୁସେନା ଘାଟିର ପୂରା ଟିମକୁ ଅଭିନନ୍ଦନ ।