ଆଜିଠାରୁ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ : ପ୍ରଥମ ଦିନରେ ଉପସ୍ଥାପିତ ହେବ ବିଭାଗୀୟ ଷ୍ଟାଡିଂ କମିଟିଗୁଡିକର ରିପୋର୍ଟ

47

କନକ ବ୍ୟୁରୋ : ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଆଜିଠାରୁ ଏହି ଅଧିବେଶନ ଅଗଷ୍ଟ ୪ ତାରିଖ ଯାଇଁ ଚାଲିବ । ପ୍ରଥମ ଦିନରେ ଅର୍ଥାତ୍ ଆଜି ବିଭାଗୀୟ ଷ୍ଟାଡିଂ କମିଟିଗୁଡିକର ରିପୋର୍ଟ ଗୃହରେ ଉପସ୍ଥାପନ ହେବ । ଜୁଲାଇ ୧୪ ତାରିଖରୁ ୨୯ ତାରିଖ ଯାଏଁ ବିଭିନ୍ନ ବିଭାଗୱାରୀ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ । ୩୦ ତାରିଖରେ ୨୦୨୨-୨୩ ବଜେଟ ଉପରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବାର କାର୍ଯ୍ୟକ୍ରମ ରହିଛି । ସରକାରଙ୍କୁ ଘେରିବାକୁ ବିରୋଧୀ ସଜବାଜ ହେଉଥିବା ବେଳେ ମୁକାବିଲା ପାଇଁ ସରକାରୀ ଦଳ ମଧ୍ୟ ପ୍ରସ୍ତୁତ ଅଛନ୍ତି ।

ଗୃହ କାର୍ଯ୍ୟକୁ ଶାନ୍ତି ଶୃଙ୍ଖଳା ଓ ସ୍ୱାଭାବିକ ଭାବେ ପରିଚାଳନା କରିବା ପାଇଁ ସମସ୍ତ ବିଧାୟକଙ୍କ ସହଯୋଗ ଲୋଡିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଗୃହରେ ତୁମ୍ବି ତୋଫାନ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ମଧ ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗ ଉଠିପାରେ । ଏହାଛଡା ଚାଷୀ, ଦରବୃଦ୍ଧିି, ଶିକ୍ଷା, ଆଇନଶୃଙ୍ଖଳା ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରିପାରନ୍ତି ବିରୋଧୀ । ସେହିପରି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ଅସ୍ତ୍ର କରିପାରନ୍ତି ସରକାରୀ ଦଳ ।