ଦକ୍ଷିଣ ଓଡିଶାର ବଡ ଡାକ୍ତରଖାନାରେ ବଡ ଅବ୍ୟବସ୍ଥା। ଏମ.କେ.ସି.ଜିର ୪ ମହଲା କୋଠା ଛାତରୁ ଗଳୁଛି ପାଣି।

63

କନକ ବ୍ୟୁରୋ: ବ୍ରହ୍ମପୁର ଏମ.କେ.ସି.ଜି ମେଡ଼ିକାଲର ଗୁମର ନକହିଲେ ଭଲ । ଏହି ମେଡ଼ିକାଲରେ ଡ଼ାକ୍ତର ଅଭାବ ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତଥାପି ଡ଼ାକ୍ତର ପଦବୀ ପୁରଣ ହୋଇପାରିନାହିଁ । କିନ୍ତୁ ବଡ ବଡ କୋଠା ରହିଛି । ମେଡିକାଲ କୋଠାର ମଧ୍ୟ ସଠିକ୍ ଢଙ୍ଗରେ ତଦାରଖ କରାଯାଉନାହିଁ । ଫଳରେ ଡାକ୍ତରଖାନା କୋଠାରୁ ସିଲିଂ ଖସିଯିବା ସହ ପାଣି ଗଳୁଛି । ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ୨୦୧୭ରେ ଉଦ୍ଘାଟିତ ହୋଇଥିଲା ଏହି ୪ ମହଲା ବିଶିଷ୍ଟ କୋଠା । ଯାହାର ଆଜିର ଅବସ୍ଥା ଏବେ ଆପଣମାନଙ୍କ ଟିଭି ପରଦାରେ । କୋଠାଟି ନିର୍ମାଣ କରିବା ପାଇଁ କୋଟି କୋଟି ମଧ୍ୟ ଖର୍ଚ ହୋଇଛି । ଏହା ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ । ଏବେ ଏହି କୋଠାର ତଳ ମହଲାରେ ୨ରୁ ୩ଟି ସ୍ଥାନରେ ଛାତରୁ ପାଣି ଗଳୁଛି ।

ତଳ ମହଲା ପୁରା ଜଳମଗ୍ନ କହିଲେ ଚଳେ । ସ୍ଥିତି ଏପରି ହେଉଛି ଯେ, ବର୍ଷା ହେଲେ ମଟର ଯୋଗେ ଜଳ ନିଷ୍କାସନ କରିବାକୁ ପଡୁଛି । ୮ ରୁ ୧୦ ଜଣ ସଫେଇ କର୍ମଚାରୀ ପାଣି ନିଷ୍କାସନ କରୁଛନ୍ତି । ତେବେ ଡାକ୍ତରଖାନା କୋଠାରେ ପାଣି ଗଳୁଥିବା ଭିଡ଼ିଓ ରୋଗୀଙ୍କ ସମ୍ପର୍କୀୟ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । କୋଠା ନିର୍ମାଣ କାମ ଅତି ନିମ୍ନମାନର ହୋଇଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ କରିଛନ୍ତି ବ୍ରହ୍ମପୁର ସହରବାସୀ ।