ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ଜେଏମଏମ୍, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

511

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନ ନେଇ ଦେଶରେ ରାଜନୀତି ସରଗରମ ହୋଇଛି । ଗୋଟିଏ ପଟେ ଏନଡିଏ ସମର୍ଥନରେ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିରୋଧୀ ମେଣ୍ଟରୁ ପ୍ରାର୍ଥୀ ହୋଇଛନ୍ତି ୟଶବନ୍ତ ସିହ୍ନା । ହେଲେ ନିର୍ବାଚନ ତାରିଖ ଯେତେ ଯେତେ ପାଖେଇ ଆସୁଛି ବିରୋଧୀ ମେଣ୍ଟରୁ ବିଭିନ୍ନ ରାଜନୈତିକ ଦଳମାନେ ବାହାରି ଆସି ବିଭିନ୍ନ ବାହାନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଘୋଷଣା କରିବାରେ ଲାଗିଛନ୍ତି । ପ୍ରଥମେ ବିରୋଧୀ ମେଣ୍ଟରୁ ଶିବସେନାର ମୁଖ୍ୟ ଉଦ୍ଧବ ଠାକରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଘୋଷଣା କରିବା ପରେ ଆଜି ଝାଡଖଣ୍ଡର ଜେଏମଏମ୍ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବି ଦ୍ରୌପଦୀଙ୍କୁ ସମର୍ଥନ ଦେବା ନେଇ ଘୋଷଣା କରିଛନ୍ତି । ଏହାସହ ଆନ୍ଧ୍ରର ତେଲୁଗଦେଶମ ପାର୍ଟି ମଧ୍ୟ ଦ୍ରୌପଦୀଙ୍କୁ ସମର୍ଥନ ଦେବାକୁ ସହମତି ପ୍ରକାଶ କରିଛି ।

 

ଏହି କ୍ରମରେ ଜେଏମଏମ ଅଧ୍ୟକ୍ଷ ଶିବୁ ସୋରେନ କହିଛନ୍ତି କି ଜେଏମଏମ ତରଫରୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ କରିବ । ଏହାସହ ଶିବୁ ସୋରେନ ଦଳର ସମସ୍ତ ସାଂସଦ ଓ ବିଧାୟକମାନଙ୍କୁ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଝାଡଖଣ୍ଡରେ ଜେଏମଏମ ଓ କଂଗ୍ରେସର ସରକାର ଥିବାରୁ ଏହା ମେଣ୍ଟ ସରକାର ଉପରେ କି ପ୍ରଭାବ ପକାଇବ ତାହା ଦେଖିବାକୁ ବାକି ରହିଲା ।