ସୁବର୍ଣ୍ଣରେଖା ନଦୀରେ ବଡ ବନ୍ୟା ଆଶଙ୍କା । ଫୁଲୁଛି ନଦୀ, ବାଲେଶ୍ୱର ଓ ମୟୂରଭଞ୍ଜ ହୋଇପାରେ ପ୍ରଭାବିତ ।

94

କନକ ବ୍ୟୁରୋ : ସୁବର୍ଣ୍ଣରେଖା ନଦୀରେ ବଡ଼ ବନ୍ୟା ହେବା ଆଶଙ୍କା ସୃଷ୍ଟି ହୋଇଛି । କାରଣ ଗାଲୁଡିହ ବ୍ୟାରେଜର ୧୬ଟି ଗେଟ୍ ଖୋଲିଛି ଝାଡଖଣ୍ଡ । ପ୍ରତି ସେକେଣ୍ଡକୁ ୪ ଲକ୍ଷ ୨୫ ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି । ଯାହା ସୁବର୍ଣ୍ଣରେଖା ସିଷ୍ଟମ ପ୍ରତି ବିପଦ ସୃଷ୍ଟି କରିଛି । ଏ ନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ କୁମାର ଜେନା ।

ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ହେଲେ ବାଲେଶ୍ୱର ଓ ମୟୂରଭଞ୍ଜ ବିଶେଷ ଭାବେ ପ୍ରଭାବିତ ହେବ । ସ୍ଥିତି ପ୍ରତି ସତର୍କ ଦୃଷ୍ଟି ରଖିବାକୁ ଦୁଇ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ୨ଟି ଏନଡିଆରଏଫ୍, ୨ଟି ଓଡ୍ରାଫ୍ ଓ ୮ଟି ଅଗ୍ନିଶମ ବାହିନୀକୁ ବାଲେଶ୍ୱର ପଠାଯାଇଛି । ସେହିପରି ଅତିରିକ୍ତ ୪-୫ଟି ଅଗ୍ନିଶମ ଟିମ୍ ଯାଜପୁର ଓ ଭଦ୍ରକ ଜିଲ୍ଲାରେ ପହଁଚିବାକୁ କୁହାଯାଇଛି । ସବୁ ପଂଚାୟତର ସରପଂଚ ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀକୁ ନିୟୋଜିତ କରି ଲୋକଙ୍କୁ ନିରାପଦ ସ୍ଥାନକୁ ନେବା ଲାଗି ଏସଆରସି ବାଲେଶ୍ୱର ଓ ମୟୂରଭଂଜ ଜିଲ୍ଲାର ଜିଲ୍ଲାପାଳଙ୍କୁ କହିଛନ୍ତି । ତୀବ୍ର ଅବପାତ ଯୋଗୁଁ ବାଲେଶ୍ୱର, ମୟୂରଭଂଜ ସମେତ ଉତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇଥିବାରୁ ସ୍ଥିତି ବିଗିଡ଼ିବାରେ ଲାଗିଛି । ଝାଡ଼ଖଣ୍ଡରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ଯାହା ସୁବର୍ଣ୍ଣରେଖା ପ୍ରତି ବିପଦ ସୃଷ୍ଟି କରିଛି ।

ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବୁଢ଼ାବଳଙ୍ଗ ଓ ଜଳକା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ବୁଢାବଳଙ୍ଗ ନଦୀରେ ୩୦ ଫୁଟର ଘାଇ । ବାଲେଶ୍ୱର ରେମୁଣା ନିକଟ ଗଣ୍ଡରଦା ଠାରେ ଘାଇ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ଜିଲ୍ଲାପାଳ ଓ ତହସିଲଦାର ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଆନନ୍ଦପୁରଠାରେ ମଧ୍ୟ ବିପଦ ସଙ୍କେତ ଟପିଛି । ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ସେଠାରେ ମଧ୍ୟ ବନ୍ୟା ପରିସ୍ଥିତି ଗମ୍ଭୀର ଆଡକୁ ଗତି କରୁଛି । ବଂଶଧାରା ଓ ଋଷିକୂଲ୍ୟା ନଦୀ ବଢିବାରେ ଲାଗିଛି । ଏହି ଦୁଇ ନଦୀ ଫୁଲୁଥିବାରୁ ରାଜ୍ୟ ପୁଣି ଗୋଟିଏ ଭୀଷଣ ବନ୍ୟା ପରିସ୍ଥିତି ସାମ୍ନା କରିବାକୁ ଯାଉଛି ।