କରୋନା ବିରୋଧୀ ଲଢେଇ ପାଇଁ ଆସୁଛି ବଡ଼ ଅସ୍ତ୍ର । ଭାରତ ବାୟୋଟେକର ନାଜାଲ ଭ୍ୟାକ୍ସିନକୁ ବ୍ୟବହାର ପାଇଁ ଅନୁମତି ଦେଲେ କେନ୍ଦ୍ର ସରକାର

312

କନକ ବ୍ୟୁରୋ: କରୋନାର ନୂଆ ପ୍ରଜାତି ବିଏଫ.୭ ସଂକ୍ରମଣ ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି । ଭାରତରେ ନୂଆ ଭୁତାଣୁରେ ଆକ୍ରାନ୍ତ ଚିହ୍ନଟ ପରେ ଆକ୍ସନ ମୋଡକୁ ଆସିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ସବୁ ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯାଉଛି । ଆଉ ଏହାରି ଭିତରେ କରୋନା ମୁକାବିଲା ପାଇଁ ଭାରତକୁ ଏକ ନୂଆ ଅସ୍ତ୍ର ମିଳିଛି । ଦେଶକୁ ବୁଷ୍ଟର ଡୋଜ ଭାବେ ଭାରତ ବାୟୋଟେକ ଦ୍ୱାର ପ୍ରସ୍ତୁତ ବିଶ୍ୱର ପ୍ରଥମ ନାଜାଲ ଭ୍ୟାକ୍ସିନ ଇନକୋଭାକକୁ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ଡିସିଜିଆଇର ଅନୁମତି ପରେ ଏହି ଟିକାକୁ ଭାରତ ସରକାର ମଞ୍ଜୁର କରିଛନ୍ତି ।

ଏହି ଟିକାକୁ ବାହୁରେ ନଦେଇ ନାକରେ ସ୍ପ୍ରେ କରାଯାଇଥାଏ । ଏସଂପର୍କରେ ଗତକାଲି ରାଜ୍ୟସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡିଭ୍ୟ । ସେ କହିଛନ୍ତି, କରୋନା ରୂପ ବଦଳାଇ ପୁଣି ସାମ୍ନାକୁ ଆସୁଛି, ସଂକ୍ରମଣ ରୋକିବା ପାଇଁ ଭାରତ ସରକାର ସବୁ ପ୍ରକାର ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛନ୍ତି । ତେଣୁ ନାଜାଲ ଭ୍ୟାକ୍ସିନକୁ ବୁଷ୍ଟର ଡୋଜ ଭାବେ ବ୍ୟବହାର କରିବାକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି । ଆସନ୍ତା ସପ୍ତାହ ସୁଦ୍ଧା ଏହି ନାଜଲ ଭ୍ୟାକ୍ସିନ କୋୱିନ ଆପରେ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି । ବହୁ ଲୋକ ଇଞ୍ଜେକ୍ସନ ନେବାକୁ ଭୟ କରିଥାନ୍ତି । ଇଞ୍ଜେକସନ ଫୋଡି ହେବା ଭୟକୁ ଏବେ ବାଏ ବାଏ କହିବାର ସମୟ ଆସିଛି । ନାଜଲ ଭ୍ୟାକ୍ସିନକୁ ନାକରେ ଦିଆଯାଇଥାଏ । ଇନକୋଭାକ୍ ଭ୍ୟାକ୍ସିନର କେଇ ବୁନ୍ଦା ନାକରେ ପକାଇ କରୋନାରୁ ସମସ୍ତଙ୍କୁ ସୁରକ୍ଷିତ ରଖାଯାଇପାରିବ ।