ଋଷର ପୂର୍ବ ଉପ-ପ୍ରଧାନମନ୍ତ୍ରୀଙ୍କ ଉପରେ ୟୁକ୍ରେନର ଆକ୍ରମଣ । ଆକ୍ରାମକ ସ୍ଥିତିରେ ଋଷ

129

କନକ ବ୍ୟୁରୋ : ଋଷ-ୟୁକ୍ରେନ୍ ଯୁଦ୍ଧକୁ ପାଖାପାଖି ୩୦୦ଦିନ ବିତିଗଲାଣି । କିନ୍ତୁ ଯୁଦ୍ଧ ଥମିବାର ନାଁ ନେଉନି । ବରଂ ଦିନକୁ ଦିନ ଅଧିକ ଭୟଙ୍କର ହେବାରେ ଲାଗିଛି ଏହି ଯୁଦ୍ଧ । ଆଉ ଏହାରି ମଧ୍ୟରେ ୟୁକ୍ରେନ୍ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଋଷର ପୂର୍ବତ୍ତନ ଉପ-ପ୍ରଧାନମନ୍ତ୍ରୀ ଦିମିତ୍ରୀ ରୋଗୋଜିନ୍ । ଋଷ ଅଧିନରେ ଥିବା ପୂର୍ବ ୟୁକ୍ରେନର ଏକ ହୋଟେଲରେ ୟୁକ୍ରେନ୍ ଆକ୍ରମଣ କରିଛି । ଯେଉଁଥିରେ ଋଷର ପୂର୍ବତ୍ତନ ଉପ-ପ୍ରଧାନମନ୍ତ୍ରୀ ଆହତ ହୋଇଛନ୍ତି । ତାଙ୍କର କାନ୍ଧରେ ଜୋରଦାର ଆଘାତ ଲାଗିଛି ।

ଦିମିତ୍ରୀ ଗତ ବୁଧବାର ଦିନ ୫୯ ବର୍ଷ ବୟସରେ ପାଦ ଥାପିଥିଲେ । ବୁଧବାର ହୋଟେଲରେ ସେ ତାଙ୍କର ଜନ୍ମଦିନ ପାଳୁଥିବା ବେଳେ ୟୁକ୍ରେନ୍ ଆକ୍ରମଣ କରିଥିବା ଜଣାପଡିଛି । କିନ୍ତୁ ହୋଟେଲରେ ଦିମିତ୍ରୀ ଜନ୍ମଦିନ ପାଳିବା ଘଟଣାକୁ ଖଣ୍ଡନ କରିଛନ୍ତି ।

ତେବେ ଋଷ ଏହି ଆକ୍ରମଣ ପରେ ଅଧିକ ଆକ୍ରାମକ ହୋଇ ଉଠିଛି । ଆଗକୁ ଏହି ଯୁଦ୍ଧ ଆହୁରି ଭୟଙ୍କର ହେବ ବୋଲି କୁହାଯାଉଛି । କାହିଁକି ନା କୌଣସି ବି ଦେଶ ହାର ମାନିବାକୁ ପ୍ରସ୍ତୁତ ନାହାନ୍ତି । ଗତକାଲି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ଆମେରିକା ରାଷ୍ଟ୍ରପତିଙ୍କ ସହ ଭେଟିଛନ୍ତି । ଆମେରିକା କହିଛି କୌଣସି ପରିସ୍ଥିତିରେ ବି ୟୁକ୍ରେନକୁ ଏକୁଟିଆ ଛଡାଯିବ ନାହିଁ । ବାଇଡେନଙ୍କ ଏହି ବୟାନ ଯୁଦ୍ଧ ଲମ୍ବା ଚାଲିବାର ସଂକେତ ଦେଉଛି