ଏକ କ୍ରୁଜ କମ୍ପାନୀର ଅଜବ ଦାବି, ବରମୁଡା ଟ୍ରାଇଏଙ୍ଗଲସରେ ଜାହାଜ ଅଦୃଶ୍ୟ ହେଲେ ଦେବି ସମସ୍ତ କ୍ଷତିପୂରଣ

1,106

କନକ ବ୍ୟୁରୋ : ଏକ କ୍ରୁଜ କମ୍ପାନୀ ଯାତ୍ରୀମାନଙ୍କୁ ଏକ ଅଜବ ଅଫର ଦେଇଛନ୍ତି । ବରମୁଡା ତ୍ରିକୋଣରେ ବନ୍ଧା ହୋଇଥିବା ଏକ ଜାହାଜକୁ ନେଇ ସେ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି କି ଯାହା ଆପଣଙ୍କୁ ଚକିତ କରିଦେବ । ଏକ ବିଦେଶୀ ଗଣମାଧ୍ୟମର ରିପୋର୍ଟ ମୁତାବକ କ୍ରୁଜ କମ୍ପାନୀ କହିଛି କି ସେ ଯାତ୍ରୀମାନଙ୍କ ସହ ଜଳ ଜାହାଜକୁ ବରମୁଡା ଟ୍ରାଇଏଙ୍ଗଲ ଭିତରକୁ ନେଇ ଯିବେ । ସେଠାରେ ଯଦି ଜାହାଜଟି ଅଦୃଶ୍ୟ ହୋଇଯାଏ ତେବେ ସମସ୍ତ କ୍ଷତିପୂରଣ କମ୍ପାନୀ ଭରଣା କରିବେ ।

କହିରଖୁ କି ସାରା ବିଶ୍ୱରେ ବରମୁଡା ଟ୍ରାଇଏଙ୍ଗଲସ ଏକ ବିପଦପୂର୍ଣ୍ଣ ସ୍ଥାନ । ଏଠାକୁ ଯାଇଥିବା ଶହ ଶହ ଜାହାଜ ଓ ଉପରେ ଉଡିଥିବା ବିମାନଗୁଡିକ ଆଶ୍ଚର୍ଯ୍ୟଜନକ ଭାବେ ଅଦୃଶ୍ୟ ହୋଇଯାଇଛନ୍ତି । ଏହି କାରଣରୁ ଏହାକୁ ଡେଭିଲ୍ସ ତ୍ରିକୋଣ ମଧ୍ୟ କୁହାଯାଇଥାଏ । ହେଲେ ସେଠାରେ ଏଭଳି କାହିଁକି ଘଟେ ତାହା ଆଜି ବି ରହସ୍ୟ ହୋଇ ରହିଛି ।

ସେପଟେ କିଛି ବିଶେଷଜ୍ଞଙ୍କ ମତ କି ପାଣିପାଗ ଓ ମାନବିକ ତ୍ରୁଟି ଯୋଗୁଁ ସେଠାରେ ଜାହଜ ଓ ବିମାନଗୁଡିକ ଅଦୃଶ୍ୟ ହୋଇଯାଇଥାଏ । ସେପଟେ ଆସ୍ତିକମାନଙ୍କ ମତରେ ଏହା ପଛରେ କିଛି ଅଲୌକିକ କାରଣ କିମ୍ବା ବିଦେଶୀ ଷଡଯନ୍ତ୍ର ରହିଛି ।

କ୍ରୁଜ କମ୍ପାନୀ ତା’ର ୱେବସାଇଟରେ ଦେଇଥିବା ବିଜ୍ଞାପନ ମୁତାବକ ଯାତ୍ରୀମାନଙ୍କୁ ଆଶ୍ୱସ୍ଥ ରହିବାକୁ କହିଛି । କମ୍ପାନୀ କହିଛି କି, ବରମୁଡା ତ୍ରିକୋଣ ଭ୍ରମଣରେ ଅଦୃଶ୍ୟ ହେବା ବିଷୟରେ ଚିନ୍ତା କରନ୍ତୁ ନାହିଁ । ଏହି ଭ୍ରମଣ ବେଳେ ଯଦି କୌଣସି ଅସୁବିଧା ହୁଏ ତେବେ ତାର ସମସ୍ତ କ୍ଷତିପୂରଣ କମ୍ପାନୀ ତରଫରୁ ଭରଣା କରାଯିବ ବୋଲି କମ୍ପାନୀ ତରଫରୁ ପ୍ରତିଶ୍ରୁତି ଦିଆଯାଇଛି ।

କମ୍ପାନୀର ସୂଚନା ଅନୁଯାୟୀ ଏହି ଯାତ୍ରା ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ନ୍ୟୁୟର୍କରୁ ବରମୁଡା ଅଭିମୁଖେ ଆରମ୍ଭ ହେବ । ଏହି ବିଚିତ୍ର ଯାତ୍ରା ପାଇଁ କମ୍ପାନୀ ତରଫରୁ ଗୋଟିଏ କ୍ୟାବିନ ପାଇଁ ୧,୪୫୦ ପାଉଣ୍ଡ ଦେବାକୁ ପଡିବ ।