ବ୍ରଜରାଜନଗର ବ୍ୟାଟେଲ ପାଇଁ ବଳ ଗୋଟାଉଛି କଂଗ୍ରେସ: ଗୋଟିଏ ମଞ୍ଚରେ ବରିଷ୍ଠ ନେତାଙ୍କ ସହ ବିଧାୟକ

157

କନକ ବ୍ୟୁରୋ: କଂଗ୍ରେସର ଏହି ଶୋଭାଯାତ୍ରାକୁ ଦେଖିଲେ ଜଣାପଡୁଛି ଯେ, ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ପୁରା ଦମ ଲଗାଇ ଦେଇଛି ଦଳ । କେବଳ ଏତିକି ନୁହେଁ ନିକଟ ଅତୀତରେ ରାଜ୍ୟରେ ହୋଇଥିବା ଉପ- ନିର୍ବାଚନ ଗୁଡିକରେ କଂଗ୍ରେସର ପ୍ରଚାର ଶୈଳୀ ଠାରୁ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଛି । ଗୋଟିଏ ମଂଚରେ ଦଳୀୟ ପ୍ରାର୍ଥୀଙ୍କ ଭାଇଁ ଭୋଟ ଭିକ୍ଷା କରୁଛନ୍ତି ବିଧାୟକଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନେତା । ଆଉ ଦଳ ତାର ପୂର୍ବ ଲୋକ ପ୍ରିୟତା ଫେରି ପାଇବ ବୋଲି ଦମ୍ଭୋକ୍ତି ରଖୁଛନ୍ତି ନେତା ।

ଏକଦା କଂଗ୍ରେସର ଗଡ କୁହାଯାଉଥିବା ଏହି ବିଧାନସଭା ଆସନକୁ ପ୍ରଥମ ଥର ପାଇଁ ୨୦୧୯ରେ ହାତେଇଥିଲା ବିଜେଡି । ସେତେବେଳେ ବୁଝାମଣା ଭିତିରେ କଂଗ୍ରେସ ଏହି ଆସନ ସିପିଆଇ ହାତକୁ ଟେକି ଦେଇଥିଲା । ଆଉ କଂଗ୍ରେସ ଭୋଟ ବିଜେଡିର ବିଜୟ ପାଇଁ ସହାୟକ ହୋଇଥିବା ଚର୍ଚ୍ଚା ହୁଏ ।

ବ୍ରଜରାଜନଗରର ତିନି ତିନି ଥର ବିଧାୟକ ରହିଥିବା ଅନୁପ ସାଏ ୨୦୧୪ରେ ବିଜେଡି ଟିକେଟରୁ ଏଠାରୁ ପ୍ରତିଦ୍ୱନ୍ଦିତା କରିଥିଲେ । ସମୀକରଣକୁ ଦେଖିଲେ, ଅନୁପ ୪୪ ହଜାର ଭୋଟ ପାଇଥିବା ବେଳେ, କଂଗ୍ରେସର କିଶୋର ପଟେଲ ୩୮ ହଜାର ଭୋଟ ଓ ବିଜେପିର ରାଧାରାଣୀ ପଣ୍ଡା ୫୦ ହଜାରରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ । କିନ୍ତୁ ୨୦୧୯ରେ କଂଗ୍ରେସ ସମର୍ଥିତ ସିପିିଆଇ ପ୍ରାର୍ଥୀ ମାତ୍ର ୯ ହଜାର ଭୋଟ ପାଇବାକୁ ସକ୍ଷମ ହୋଇଥିଲେ । ତେଣୁ ପ୍ରଶ୍ନ ଉଠୁଛି, ଯଦି ଏଥର କଂଗ୍ରେସର ଭୋଟ ସଂଖ୍ୟା ବଢେ, ତେବେ ଏହାର ପ୍ରଭାବ ଅନ୍ୟ ଦୁଇ ପ୍ରମୁଖ ଦଳ ଉପରେ କଣ ରହିବ ।

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ରବିବାର ସଂଧ୍ୟାରେ ପ୍ରଚାର ସରିବ, ତେଣୁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଦଳ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି । ତେବେ ବିଜୟ ମୁକୁଟ କିଏ ପିନ୍ଧିବ ତାକୁ ନେଇ ଆକଳନ ଜାରି ରହିଥିବା ବେଳେ କଂଗ୍ରେସ ନେତାଙ୍କୁ ଏକାଠି ଲଢେଇ କରିବାକୁ ସୁଯୋଗ ଆଣିଦେଇଛି ଏହି ଉପ-ନିର୍ବାଚନ ।