ଚାଷୀଙ୍କୁ ରୋଜଗାରର ରାସ୍ତା ଦେଖାଇଛନ୍ତି ବାସୁମତି ଧାନ ଚାଷ । ଏକର ପିଛା ଅମଳ ହେଉଛି ୮ରୁ ୧୦ କ୍ୱିଂଟାଲ ଧାନ । ଆନ୍ଧ୍ର ଓ ପଶ୍ଚିମବଙ୍ଗକୁ ହେଉଛି ରପ୍ତାନୀ ।

614

କନକ ବ୍ୟୁରୋ: ବାସୁମତି ଧାନ ଚାଷ ଦେଇଛି ପରିଚୟ । ଆଉ ଚାଷି ମାନଙ୍କ ପାଇଁ ପାଲଟିଛି ରୋଜଗାରର ମୁଖ୍ୟ ମାଧ୍ୟମ । ପ୍ରାୟ ୨ହଜାର ହେକ୍ଟର ଜମିରେ ବାସୁମତି ଧାନ ଚାଷ କରି ନିଜର ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି କେନ୍ଦ୍ରାପଡା ବ୍ଲକ ଖରୀନାସି ପଂଚାୟତର ଚାଷି ମାନେ । ଧାନ ଜମିରେ ମହ ମହ ମହକୁଛି ବାସୁମତି । ପାଚିଲା ଧାନରେ ଭର୍ତି ହୋଇଛି କ୍ଷେତ । ଏବେ ଅମଳ ସମୟ ହୋଇଥିବା ବେଳେ କିଏ ଧାନ କାଟିବାରେ ବ୍ୟସ୍ତ ତ ପୁଣି କିଏ ଧାନକୁ ସୁଖାଇ ସାଇତି ରଖିବାରେ ବ୍ୟସ୍ତ ଅଛନ୍ତି । ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡା ମହାକାଳପଡା ବ୍ଲକ ଖରିନାସୀ, ରାମନଗର ଓ ଜମ୍ମୁ ପଂଚାୟତ ଚାଷୀ କ୍ଷେତର ଦୃଶ୍ୟ । ଏହି ତିନୋଟି ପଂଚାୟତର ପ୍ରାୟ ୫ହଜାର ହେକ୍ଟର ଜମିରେ ବାସୁମତି ଧାନ ଚାଷ ହୋଇଛି । ଏହି ଧାନରୁ ପ୍ରସ୍ତ୍ୁତ ହେଉଥିବା ଚାଉଳର ଚାହିଦା ଅଧିକ ରହିଥିବା ବେଳେ ଭଲ ରୋଜଗାର ଆଶାରେ ଚାଷୀମାନେ ଏହି ଚାଷ କରିଛନ୍ତି ।

ଖରିନାସୀ ପଂଚାୟତର ଚାଷୀ ପୁର୍ବରୁ ପାଟଣି, କଲମା ଓ ଭାଲିକି ଓ ରାସପଂଜା କିଶମର ଧାନ ଚାଷ କରୁଥିଲେ । କିନ୍ତୁ ଏହି ଧାନର ବଜାର ଦର କମ ରହିବା ସାଙ୍ଗକୁ ଅମଳ ଭଲ ହେଉନଥିଲା । ତେଣୁ ବାସୁମତି ଧାନର ଦାମ୍ ଅଧିକ ଓ ଭଲ ଅମଳ ହେଉଥିବାରୁ ଏହା ଚାଷୀଙ୍କୁ ସହାୟକ ହୋଇଛି । ଏହି ଧାନ ଏକର ପିଛା ୮ରୁ ୧୦ କୁଇଂଟାଲ ପର୍ଯ୍ୟନ୍ତ ଅମଳ ହେଉଥିବା ବେଳେ କୁଇଂଟାଲ ପିଛା ୩ହଜାରରୁ ୩୨ଶହ ଟଙ୍କା ଦାମ୍ରେ ବିକ୍ରି ହୋଇଥାଏ । ପଶ୍ଚିମବଙ୍ଗ ଓ ଆନ୍ଧ୍ରରୁ ବ୍ୟବସାୟୀ ମାନେ ଆସି ଚାଷିଙ୍କ ନିକଟରୁ ଏହି ଧାନ କିଣି ନେଉଛନ୍ତି । ବଜାରରେ ଏବେ ଏହି ଚାଉଳ କିଲୋ ୮୦ ଟଙ୍କା ଦାମରେ ବିକ୍ରି ହେଉଛି । ହେଲେ ମଣ୍ଡିରେ ଏହି ଧାନ କୁଇଂଟାଲ ପ୍ରତି ୨୧ଶହ ୮୩ ଟଙ୍କାରେ ବିକ୍ରି ହେଉଥିବାରୁ ବାହାର ରାଜ୍ୟର ବ୍ୟବସାୟୀଙ୍କ ଉପରେ ନିର୍ଭର କରୁଛନ୍ତି ଚାଷୀ ।