ଖବର ପ୍ରସାରଣ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ: ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ର ମାଲିକ ଅବନି ପତିକୁ ଗିରଫ କଲା ବାରିପଦା ପୋଲିସ

493

କନକ ବ୍ୟୁରୋ: ଖବର ପ୍ରସାରଣ ପରେ ପ୍ରତିଜ୍ଞା ନିଶାନିବାରଣ କେନ୍ଦ୍ର ମାଲିକ ଅବନୀ ପତିଙ୍କୁ ଗିରଫ କଲା ବାରିପଦା ପୋଲିସ । ଆଇନଜୀବୀ କହିଲେ ଦୁଇରୁ ଚାରି ବର୍ଷ ଧରି ଏପରି କାର୍ଯ୍ୟ ଏହି ନିଶା ନିବାରଣ କେନ୍ଦ୍ରରେ ଚାଲି ଆସୁଛି । ଅବନୀ ପତିଙ୍କ ନାଁରେ ଦୁଇଟି ମାମଲା ରହିଛି । ପୂର୍ବରୁ ହତ୍ୟା ଅଭିଯୋଗରେ ତାଙ୍କ ନାଁରେ ୩୦୨ ଦଫା ଲାଗିଛି । ଅବନୀ ପତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କଲେ ଆଇନଜୀବୀ । ନିଶାନିବାରଣ କେନ୍ଦ୍ରରେ ଜଣେ ଦିବ୍ୟାଙ୍ଗଙ୍କୁ ମାଡ ମାରିବାର ଅଭିଯୋଗ ହୋଇଥିଲା । ପ୍ରତିଜ୍ଞା ନିଶାନିବାରଣ କେନ୍ଦ୍ର ମାଲିକ ଅବନୀ ପତି ନିଶାରେ ଚୁର ହୋଇ ଦିବ୍ୟାଙ୍ଗଙ୍କୁ ମାଡ଼ ମାରିଥିବା ଭିଡିଓ ସାମ୍ନାକୁ ଆସିଥିଲା ।

ହାତରେ ପ୍ଲାଷ୍ଟିକ ପାଇପ୍ ଧରି ମାଡ ମାରୁଥିବା ବେଳେ ସହଯୋଗୀଙ୍କ ପାଦ ଚଟାଉଥିବାର ଭିଡ଼ିଓ ଏବେ ଭାଇରାଲ ହୋଇଥିଲା । ଆଜି କାଲି ଯୁବ ପୀଢିଙ୍କ ମଧ୍ୟରେ ନିଶା ସେବନ ବୃଦ୍ଧି ପାଉଥିବା ବେଳେ ନିଶା ନିବାରଣ କେନ୍ଦ୍ରରେ ଅଛି ନିଦାନ । ନିଶାରୁ ମୁକ୍ତି ପାଇଁ ନିଶାନିବାରଣ କେନ୍ଦ୍ରକୁ ବିଭିନ୍ନ ସ୍ଥାନରୁ ଆସନ୍ତି ଲୋକେ । ନିଶାଖୋର ମାନଙ୍କ ନିଶା ଛଡାଇବା ସହିତ ନିଶାମୁକ୍ତ କରି ସମାଜର ମୁଖ୍ୟ ସ୍ରୋତକୁ ସେମାନଙ୍କୁ ଫେରାଇ ଆଣିବାକୁ ନିଆଯାଏ ସମସ୍ତ ପ୍ରକାରର ଯତ୍ନ । ନିଶା ମୁକ୍ତି ପାଇଁ ପ୍ରଚୁର ଅର୍ଥ ମଧ୍ୟ ବ୍ୟୟ କରାଯାଉଛି । କିଛି ପରିବାର ବର୍ଷ ବର୍ଷ ଧରି ଅର୍ଥ ବ୍ୟୟ କରିଥାନ୍ତି ନିଶାରୁ ମୁକ୍ତି ପାଇଁ । ହେଲେ ଏଠାରେ ସବୁକିଛି ଓଲଟା ଦେଖିବାକୁ ମିଳିଥିଲା । ନିଜେ ମାଲିକ ଅବନୀ ପତି ନିଶାଗ୍ରସ୍ତ ହୋଇ ଜଣେ ଦିବ୍ୟାଙ୍ଗ ଅନ୍ତେବାସୀକୁ ଏଭଳି ଅମାନୁ୍ଷିକ ନିର୍ଯାତନା ଦେବା ଘଟଣା ବିଭିନ୍ନ ମହଲରେ ସମାଲୋଚିତ ହୋଇଥିଲା ।