‘ମୁଁ ପ୍ରଧାନମନ୍ତ୍ରୀ ରେସରେ ନାହିଁ’ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉ ନେଉ ସ୍ପଷ୍ଟ କଲେ ନୀତୀଶ କୁମାର, ପରୋକ୍ଷରେ ବିଜେପିକୁ ମାରିଲେ ତେରଛା ବାଣ ।

309

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ଶପଥ ନେବା ପରେ ବିହାରରେ ଉଠିଥିବା ରାଜନୈତିକ ଜୁଆରରେ ଏବେ ଭଟ୍ଟା ପଡିଛି । ଆରଜେଡି ସହ ମିଶି ପୁଣିଥରେ ନୂଆ ସରକାର ଗଠନ କରିଛନ୍ତି ନୀତୀଶ କୁମାର । ତେବେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବା ପରେ ମୋଦୀ ସରକାରଙ୍କୁ ପରୋକ୍ଷରେ ଟାର୍ଗେଟ କରିବାକୁ ଭୁଲି ନାହାନ୍ତି ନୀତୀଶ କୁମାର । ସିଧାସଳଖ ନୀତୀଶ କହିଛନ୍ତି, ୨୦୧୪ରେ ଯିଏ କ୍ଷମତାକୁ ଆସିଥିଲା ୨୦୨୪ରେ ସିଏ ପୁଣିଥରେ କ୍ଷମତାକୁ ଫେରିବେ ତ? ଏଭଳି କହି ମୋଦୀ ସରକାରକୁ ତେରଛା ବାଣ ମାରିଛନ୍ତି ନୀତୀଶ କୁମାର ।

କେବଳ ଏତିକି ନୁହେଁ ୨୦୨୪ ପାଇଁ ବିରୋଧୀଙ୍କୁ ଏକଜୁଟ୍ ହେବାକୁ ଆହ୍ୱାନ ଦେଇଛନ୍ତି ନୀତୀଶ । କିଛି ଲୋକ ଭାବୁଥିଲେ ଦେଶରେ ବିରୋଧୀ ରହିବେନି, କିନ୍ତୁ ଏବେ ମୁଁ ବିରୋଧୀ ଦଳକୁ ଆସିଛି । ଆଉ ଏଭଳି କହି ପରୋକ୍ଷରେ ବିଜେପିକୁ ଚ୍ୟାଲେଞ୍ଜ ଦେଇଛନ୍ତି ନୀତୀଶ । ଆଗକୁ ସବୁ ବିରୋଧୀ ଏକାଠି ହୁଅନ୍ତୁ ଏବଂ ଏକ ପ୍ଲାନ ପ୍ରସ୍ତୁତ କରନ୍ତୁ । ବିପକ୍ଷ ଦଳ ଆହୁରି ଶକ୍ତିଶାଳୀ ହେବ ବୋଲି ନୀତୀଶ କହିଛନ୍ତି ।

ଏହାସହ ନୀତୀଶ କହିଛନ୍ତି, ଆମେ ସମର୍ଥନ କରି ସରକାର ଗଢିଥିଲୁ । କିନ୍ତୁ ସେମାନଙ୍କ ତରଫରୁ ଜେଡିୟୁ ନିଶ୍ଚିହ୍ନ କରିବାକୁ ଯୋଜନା କରାଗଲା । ଏଥିପାଇଁ ଆମେ ପୁଣିଥରେ ପୁରୁଣା ସ୍ଥାନକୁ ଫେରିଲୁ । ଏସବୁ ଭିତରେ ଯେତେବେଳେ ପ୍ରଧାନମନ୍ତ୍ରୀ ରେସରେ ନୀତୀଶ ରହିଛନ୍ତି କି ନାହିଁ ପ୍ରଶ୍ନ କରାଗଲା ସେତେବେଳେ ଏହାର ସରଳ ଉତ୍ତର ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ । ସିଧାସଳଖ କହିଛନ୍ତି, ପ୍ରଧାନମନ୍ତ୍ରୀ ରେସରେ ମୁଁ ନାହିଁ । ଆମେ ଯେଉଁ ନିର୍ଣ୍ଣୟ ନେଇଛୁ, ଦଳର ସମସ୍ତ ସହଯୋଗୀଙ୍କ ସହ ଆଲୋଚନା କରି ନେଇଛୁ । ବିଜେପି ସହ ମେଣ୍ଟ କରି ଆମେ ବହୁତ କ୍ଷତି ସହିଛୁ । ଆମର ସମସ୍ତ ନେତାଙ୍କୁ ପଚାରନ୍ତୁ ବିଜେପି କେମିତି ବ୍ୟବହାର କରୁଥିଲା । ଏଭଳି କହି ବିଜେପିକୁ ଟାର୍ଗେଟ କରିଛନ୍ତି ନୀତୀଶ ।