ଏସଡିଏମ ଜ୍ୟୋତି ମୌର୍ଯ୍ୟଙ୍କ ଯାଆ ସୁଭ୍ରା ବଢାଇଲେ ଆଲୋକ ମୌର୍ଯ୍ୟଙ୍କ ଅଡୁଆ, ପୁରା ପରିବାର ନାମରେ ଦାଖଲ କଲେ ଅଭିଯୋଗ

653

କନକ ବ୍ୟୁରୋ : ଏସଡିଏମ ଜ୍ୟୋତ ମୌର୍ଯ୍ୟଙ୍କ ଯାଆ ଶୁଭ୍ରା ମୌର୍ଯ୍ୟଙ୍କ ଅଭିଯୋଗ ଉପରେ ଜ୍ୟୋତିଙ୍କ ସ୍ୱାମୀ ଆଲୋକଙ୍କ ପରିବାର ଉପରେ ମାମଲା ଦାୟର ହୋଇଛି । ଏହାକୁ ନେଇ ଜ୍ୟୋତିଙ୍କ ସ୍ୱାମୀ ଆଲୋକଙ୍କ ଅଡୁଆ ପୁଣିଥରେ ବଢିପାରେ ବୋଲି ଅନୁମାନ କରାଯାଉଛି । ଶୁଭ୍ରା ନିଜ ସ୍ୱାମୀ ଓ ଦିଅର ଆଲୋକଙ୍କ ସମେତ ପୂରା ଶ୍ୱଶୁରଘର ଲୋକଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି ।

ଶୁଭ୍ରା ଅଭିଯୋଗ କରିଛନ୍ତି କି ବାହାଘର ପରେ ଯୌତୁକ ପାଇଁ ତାଙ୍କ ଉପରେ ଅତ୍ୟାଚାର କରାଯାଇଛି । ଶ୍ୱଶୁର ଘର ଲୋକ ଟଙ୍କା ପାଇଁ ତାଙ୍କୁ ମାଡପିଟ କରୁଥିଲେ । ଏନେଇ ସେ ଅନେକ ଥର ଥାନାରେ ଅଭିଯୋଗ କରିଥିଲେ ବି ଥାନା ତରଫରୁ ମାମଲା ଦାଖଲ କରାଯାଇନଥିଲା । ଶୁଭ୍ରାଙ୍କ ଏଭଳି ଅଭିଯୋଗ ପରେ ପୋଲିସ ବି ଅଡୁଆରେ ପଡି ଏବେ ମାମଲା ଦାୟର କରିଛି ।

ଶୁଭ୍ରା ମୌର୍ଯ୍ୟ ହେଉଛନ୍ତି ଆଲୋକଙ୍କ ବଡ ଭାଇ ବିନୋଦ ମୌର୍ଯ୍ୟଙ୍କ ପତ୍ନୀ । ଶୁଭ୍ରା କହିଛନ୍ତି କି ବାହାଘର ବେଳେ ତାଙ୍କ ସ୍ୱାମୀ ବିନୋଦ କହିଥିଲେ କି ସେ ଇଣ୍ଟେଲିଜେନ୍ସ ବିଭାଗର ଜଣେ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ହେଲେ ବାସ୍ତବରେ ସେ ଜିଏସଟି ବିଭାଗର ଜଣେ ଷ୍ଟେନୋଗ୍ରାଫର ଭାବେ କାର୍ଯ୍ୟ କରନ୍ତି । ଏହାସହ ବାହାଘର ବେଳେ ଯୌତୁକ ବାବଦରେ ନଗଦ ୫ଲକ୍ଷ ଟଙ୍କା, ୫ ଲକ୍ଷ ଟଙ୍କାର ଗହଣା ଓ କାର ଦିଆଯାଇଥିବା ବେଳେ ବାହାଘର ପରେ ଅଧିକ ଯୌତୁକ ଦାବି କରି ତାଙ୍କ ଉପରେ ଶ୍ୱଶୁର ଘର ଲୋକ ଅତ୍ୟାଚାର କରୁଥିଲେ ।

ହେଲେ ୨୦୧୫ ମସିହାରେ ଶୁଭ୍ରା ସହାୟକ ଅଧ୍ୟାପକ ଭାବେ ନିଯୁକ୍ତି ପାଇବା ପରେ ଶ୍ୱଶୁରଘରେ ମାହୋଲ ବଦଳିଯାଇଥିଲା । ହେଲେ ପୁଣି କିଛିଦିନ ପରେ ଯୌତୁକ ଦାବି କରି ଶ୍ୱଶୁର ଘର ଲୋକେ ତାଙ୍କୁ ମାଡପିଟ କରୁଥିଲେ ।

ସୂଚନା ଥାଉକି ଆଲୋକ ମୌର୍ଯ୍ୟ ଓ ତାଙ୍କ ସ୍ୱାମୀ ଜ୍ୟୋତି ମୌର୍ଯ୍ୟଙ୍କ ବିବାଦ କିଛିଦିନ ହେବ ଚର୍ଚ୍ଚାରେ ରହିଛି । ଆଲୋକ ମୌର୍ଯ୍ୟ ନିଜ ସ୍ତ୍ରୀ ଜ୍ୟୋତି ମୌର୍ଯ୍ୟଙ୍କ ନାମରେ ଏକ ଅଭିଯୋଗ ଆଣିଥିଲେ । ଅଭିଯୋଗ ମୁତାବକ ଜ୍ୟୋତି ମୌର୍ଯ୍ୟଙ୍କ ସମସ୍ତ ପଢାଖର୍ଚ୍ଚ ଆଲୋକ ବହନ କରିଥିଲେ । ହେଲେ ଜ୍ୟୋତି ଏସଡିଏମ୍ ଭାବେ ନିଯୁକ୍ତି ପାଇବା ପରେ ଅନ୍ୟ ଜଣେ ପୁରୁଷଙ୍କୁ ବିବାହ କରିବାକୁ ଚାହୁଁଥିବା କଥା ଆଲୋକ ଅଭିଯୋଗ ଆଣିଥିଲେ ।