ସମୀରଙ୍କ ଟୁଇଟ୍ ର ଜବାବ ଦେଲା ବିଜେଡି । ଲେନିନଙ୍କ ଟୁଇଟ୍- ‘ରାଜନୀତିରେ ତିଷ୍ଠି ରହିବାକୁ ଉଦ୍ୟମ କରୁଛନ୍ତି ସମୀର’

104

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ନୂଆ କୀର୍ତ୍ତିମାନକୁ ନେଇ ଜୋର ଧରିଲା ରାଜନୀତି । ସମୀରଙ୍କ ଟୁଇଟ୍ ର ଜବାବ ଦେଲା ବିଜେଡି । ନବୀନ ପଟ୍ଟନାୟକ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିବା ନେଇ ବିଜେପିିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କରିଥିବା କଟାକ୍ଷର ଜବାବ ଦେଇଛି ବିଜେଡି ।

ସମୀର ନିଜ ଟୁଇଟରରେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ୨୩ ବର୍ଷ ଶାସନ କାଳରେ ପ୍ରତିଶ୍ରୁତି ପାଳନ ନକରିବାରେ ମଧ୍ୟ ରେକର୍ଡ କରିଛନ୍ତି । ଓଡିଶାର ମୁଖ୍ୟମନ୍ତ୍ରୀ କେବଳ ନିଜ ପ୍ରାୟୋଜିତ ପୁରସ୍କାର ଗ୍ରହଣ କରି ନିଜକୁ ପ୍ରମାଣିତ କରନ୍ତି, କାମରେ ନୁହେଁ । ପ୍ରାୟୋଜିତ ପୁରସ୍କାର ଗ୍ରହଣ କରିବାରେ ରେକର୍ଡ ସୃଷ୍ଟି କରିଛନ୍ତି । ସମୀର ଆହୁରି ମଧ୍ୟ ଲେଖିଛନ୍ତି, ୨୩ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ବଡ ଉପଲବ୍ଧି ହେଲା- ସାଂସଦ, ବିଧାୟକ, ମନ୍ତ୍ରୀଙ୍କୁ ମଞ୍ଚ ବନ୍ଧା ଓ ଚେୟାର ପକାଇବା କାମରେ ଲଗାଇ ସଚିବଙ୍କୁ ସାରା ରାଜ୍ୟ ବୁଲାଇବା ହେଉଛି ସର୍ବଶ୍ରେଷ୍ଠ ରେକର୍ଡ ବୋଲି ସମୀର ଟୁଇଟରରେ କଟାକ୍ଷ କରିଛନ୍ତି ।

ସେପଟେ ସମୀରଙ୍କ ଏହି କଟାକ୍ଷର କଡା ଜବାବ ଦେଇଛନ୍ତି ଲେନିନ୍ ମହାନ୍ତି । ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ଟୁଇଟରରେ ଉଲ୍ଲେଖ କରିଛନ୍ତି, ସଭାପତି ପଦରୁ ବିଦା ହେବା ପରେ ସମୀର ନିଜ ରାଜନୈତିକ ସ୍ଥିତି ହରାଇଛନ୍ତି । ରାଜନୀତିରେ ତିଷ୍ଠି ରହିବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି ଆମେ ତାଙ୍କ ନିରାଶା ଓ ହତାଶାକୁ ବୁଝୁଛୁ । ପୂର୍ବତନ ରାଜ୍ୟ ବିଜେପି ସଭାପତି ତାଙ୍କର ଅର୍ଥହୀନ ଏବଂ ବୁଦ୍ଧିହୀନ ଟୁଇଟ୍ ଜରିଆରେ ରାଜନୀତିରେ ପ୍ରାସଙ୍ଗିକ ହୋଇ ରହିବାକୁ ଚାହୁଁଛନ୍ତି, ଆମେ ତାଙ୍କ ପ୍ରତି ସହାନୁଭୂତି ଦେଖାଉଛୁ ବୋଲି ଲେନିନ୍ କହିଛନ୍ତି ।