ଅବହେଳିତ ଅବସ୍ଥାରେ ଯାଜପୁରର ବଳରାମପୁରଗଡ। ପର୍ଯ୍ୟଟନ ବିଭାଗ ସହଯୋଗର ହାତ ବଢାଇବାକୁ ଦାବି।

86

କନକ ବ୍ୟୁରୋ: ଅବହେଳିତ ଅବସ୍ଥାରେ ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକର ପର୍ଯ୍ୟଟନସ୍ଥଳୀ ବଳରାମପୁରଗଡ । ଚାରିଆଡେ ସବୁଜ ଜଙ୍ଗଲ ସାଙ୍ଗକୁ ପାହାଡ କଡରେ ଗଡକୁ ଲମ୍ବିଥିବା ଅଙ୍କାବଙ୍କା ରାସ୍ତା ଯେକେହି ଲୋକଙ୍କୁ ଆକୃଷ୍ଟ କରିବ । ପାହାଡ ଉପରେ ଅବସ୍ଥିତ ବଳରାମପୁରଗଡରେ ରହିଛି ସୂର୍ଯ୍ୟବଂଶୀ ରାଜାଙ୍କ ସମୟର ରାଜବାଟୀ । ରାଜାରାଜୁଡା ଶାସନର ପତନ ପରେ ଏଠାରେ ରାଜବାଟୀର ଭଗ୍ନାବଶେଷ ପଡିରହିଛି । ଗଡର ମଧ୍ୟଭାଗରେ ରହିଛି ଆରାଧ୍ୟ ଦେବତା ଜଗନ୍ନାଥଙ୍କ ମନ୍ଦିର । ଏହି ସ୍ଥାନଟି ପ୍ରାକୃତିକ ପରିବେଶରେ ଭରପୁର ହୋଇଥିବାରୁ ଏଠାକୁ ବିଭିନ୍ନ ସମୟରେ ଲୋକେ ବଣଭୋଜି କରିବାକୁ ଆସିଥାନ୍ତି । ଏଠାରେ ସରୁ ଝରଣା ବହିଯାଉଥିବା ବେଳେ ସେଲଫି ପଏଂଟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ।

ଗଡ ଉପରକୁ ଯାଇଥିବା ରାସ୍ତାଟି ଅଣସସାରିଆ ହୋଇଥିବାରୁ ଗାଡି ମଟର ଯାତାୟତରେ ସମସ୍ୟା ଦେଖାଦେଇଥାଏ । ଗଡରେ ତିନିଶହ ଲୋକ ବସବାସ କରୁଥିବା ବେଳେ ପାନୀୟ ଜଳ ଏହାର ପ୍ରମୁଖ ସମସ୍ୟା ରହିଛି । ଗାଁରେ ଥିବା ଜଳୀୟ ଉତ୍ସ ଗୁଡିକରୁ ଆୟୋଡିନ ଯୁକ୍ତ ପାଣି ବାହାରୁ ଥିବାରୁ ମନ୍ଦିର ନିକଟରେ ଥିବା ଏକମାତ୍ର କୂଅର ପାଣି ଉପରେ ସମସ୍ତେ ନିର୍ଭର କରିଥାନ୍ତି । ବଳରାମପୁର ଗଡର ବିକାଶ ପାଇଁ ସ୍ଥାନୀୟ ଦଶଖଣ୍ଡି ମୌଜାର ଲୋକମାନେ ଏକାଠି ହୋଇ କାମ ଆରମ୍ଭ କରିଛନ୍ତି । ଦୃଷ୍ଟି ଆଢୁଆଳରେ ରହିଯାଇଥିବା ଏହି ଗଡର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ସହଯୋଗର ହାତ ବଢାଇଲେ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟନ୍ତା ବୋଲି ସ୍ଥାନୀୟ ଲୋକମାନେ ଆଶା କରନ୍ତି ।