ପୁଣି ଗୁଲାମନବୀ ଆଜାଦଙ୍କ କଂଗ୍ରେସ ପ୍ରେମ । କହିଲେ, ହିମାଚଳ ଓ ଗୁଜରାଟରେ କଂଗ୍ରେସର ବିଜୟ ହେଉ

390

କନକ ବ୍ୟୁରୋ : ଗୁଜରାଟ ଓ ହିମାଚଳ ପ୍ରଦେଶରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହି ନିର୍ବାଚନକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଥିବା ବେଳେ କଂଗ୍ରେସ ଛାଡିଥିବା ପୂର୍ବତନ କଂଗ୍ରେସ ନେତା ଗୁଲାମନବୀ ଆଜାଦଙ୍କର ପୁଣି କଂଗ୍ରେସ ପ୍ରେମ ଦେଖିବାକୁ ମିଳିଛି । ଗୋଟିଏ ପଟେ ସେ କଂଗ୍ରେସ ଛାଡି ନିଜର ସ୍ୱତନ୍ତ୍ର ଦଳ ପ୍ରତିଷ୍ଠା କରିସାରିଥିବା ବେଳେ ଏବେ ସେ ଗୁଜରାଟ ଓ ହିମାଚଳରେ କଂଗ୍ରେସର ପ୍ରଦର୍ଶନକୁ ନେଇ ଟିପ୍ପଣୀ କରିଛନ୍ତି । ସେ କହିଛନ୍ତି କି, ଏବେ ମୁଁ କଂଗ୍ରେସରେ ନଥିଲେ ବି ମୁଁ ଚାହୁଁଛି କଂଗ୍ରେସ ଉଭୟ ଗୁଜରାଟ ଓ ହିମାଚଳ ପ୍ରଦେଶରେ ବିଜୟ ଲାଭ କରୁ । ସେ ଆହୁରି କହିଛନ୍ତି କି କଂଗ୍ରେସର ଧର୍ମ ନିରପେକ୍ଷତା ବିରୋଧରେ ସେ ନୁହଁନ୍ତି ।

ସେପଟେ ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ କରି ଆଜାଦ କହିଛନ୍ତି ଯେ, ଆପ କେବଳ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀର ପାର୍ଟି । ସେ କେବେ ବି ପଞ୍ଜାବରେ ସରକାର ଚଳାଇ ପାରିବ ନାହିଁ । ଏହାସହ ହିମାଚଳ ଓ ଗୁଜରାଟରେ କଂଗ୍ରେସ ହିଁ କେବଳ ବିଜେପିକୁ ଚ୍ୟାଲେଞ୍ଜ ଦେଇପାରିବ ବୋଲି ସେ କହିଛନ୍ତି । ଏହା ସହ ଏବେ ପଞ୍ଜାବରେ ନିର୍ବାଚନ ହେଲେ ଆମ୍ ଆଦମୀ ପାର୍ଟି ପରାଜିତ ହେବ ବୋଲି ଆଜାଦ କହିଛନ୍ତି ।

କହିରଖୁ କି ଉଭୟ ଗୁଜରାଟ ଓ ହିମାଚଳରେ ତ୍ରୀକୋଣୀୟ ଲଢେଇ ଆରମ୍ଭ ହୋଇଛି । ଏଥିରେ ବିଜେପି, କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ସାମିଲ ଅଛନ୍ତି । ୨୦୧୭ ଗୁଜରାଟ ବିଧାନସଭା ନିର୍ବାଚନରେ ମୋଟ ୧୮୨ ଆସନରୁ ବିଜେପି ୯୯, କଂଗ୍ରେସ ୭୭ ଟି ଆସନରେ ବିଜୟଲାଭ କରିଥିଲେ । ସେହିଭଳି ୨୦୧୭ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ମୋଟ ୬୮ ଟି ଆସନ ମଧ୍ୟରୁ ବିଜେପି ୪୪ ଟି ଓ କଂଗ୍ରେସ ୨୧ ଟି ଆସନରେ ବିଜୟୀ ହୋଇଥିଲା ।