ଶବ ଚିହ୍ନଟ ପାଇଁ ଡିଏନଏ ଟେଷ୍ଟ । ସମ୍ପର୍କୀୟଙ୍କଠାରୁ ସଂଗ୍ରହ ହେଉଛି ନମୁନା

132

କନକ ବ୍ୟୁରୋ : ଦୁର୍ଘଟଣା ପରେ ଏପର୍ଯ୍ୟନ୍ତ ୨ଶହରୁ ଅଧିକ ମୃତ ଦେହ ହସ୍ତାନ୍ତର କରାଯାଇଥିଲେ ବି ୮୦ରୁ ଅଧିକ ଶବର ପରିଚୟ ମିଳୁନି । ଯେହେତୁ ଶବ ଚିହ୍ନି ହେଉନି, ମୃତକ କିଏ? ତାଙ୍କ ଘର କେଉଁଠି ? ତାହା ଜଣାପଡୁନି? ଏଭଳି ସ୍ଥିତିରେ ଗୋଟିଏ ଗୋଟିଏ ଶବର ଏକାଧିକ ଦାବିଦାର ପହଁଚୁଥିବାରୁ, ଚିହ୍ନଟ ପାଇଁ ଡିଏନଏ ଟେଷ୍ଟ ଆରମ୍ଭ ହୋଇଛି । ଏମ୍ସରେ ମୃତକଙ୍କ ସମ୍ପର୍କୀୟଙ୍କ ଡିଏନଏ ନମୁନା ସଂଗ୍ରହ କରାଯାଉଛି । ମୃତଦେହ ଚିହ୍ନଟ ପାଇଁ ୧୦ରୁ ଅଧିକ ପରିବାର ଡିଏନଏ ନମୁନା ଦେଇଛନ୍ତି ।

ପୂର୍ବରୁ ସମସ୍ତ ମୃତକଙ୍କ ଡିଏନଏ ସଂଗ୍ରହ କରାଯାଇଛି । ଏବେ ସମ୍ପର୍କୀୟଙ୍କ ଡିଏନଏ ରିପୋର୍ଟ ଆସିବା ପରେ ତାକୁ ମେଳ କରାଯିବ । ଯେଉଁମାନଙ୍କ ଡିଏନଏ ମିଶିବ, ସେମାନଙ୍କୁ ତାଙ୍କ ସମ୍ପର୍କୀୟଙ୍କ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଏମ୍ସ କର୍ତୁପକ୍ଷ ।

ଭୁବନେଶ୍ୱର ଏମ୍ସ ସମେତ ବିଭିନ୍ନ ହସ୍ପିଟାଲରେ ମୃତଦେହ ଗୁଡିକ ସଂରକ୍ଷିତ କରି ରଖାଯାଇଛି । ତେବେ ମୃତକଙ୍କ ସମ୍ପର୍କୀୟ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ନହେବେ, ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ୨୪ଘଂଟିଆ ହେଲ୍ପ ଡେସ୍କ କରାଯାଇ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି ।  ହେଲେ କେତେ ଦିନି ଶବଗୁଡିକ ରାଜ୍ୟ ସରକାର ରଖିବେ? ତାହା ଏବେ ବେଶ ଗୁରୁତ୍ୱପୂର୍ଣ୍ଣ ।