ବାଲେଶ୍ୱର ସରକାରୀ ହସ୍ପିଟାଲରେ ଚରମ ଅବ୍ୟବସ୍ଥା । ବେଡ୍ ନାହିଁ, ତଳେ ଶୋଉଛନ୍ତି ପ୍ରସୂତୀ ଓ ନବଜାତ ।

119

କନକ ବ୍ୟୁରୋ: ସରକାରୀ ହସ୍ପିଟାଲର ଚରମ ଅବ୍ୟବସ୍ଥା । ବେଡ୍ ନାହିଁ, ତଳେ ଶୋଉଛନ୍ତି ପ୍ରସୂତୀ ଓ ନବଜାତ । ସ୍ୱାସ୍ଥ୍ୟ ସେବାର ଏଭଳି ବିକଳ ଚିତ୍ର ଦେଖିବାକୁ ମିିଳିଛି ବାଲେଶ୍ୱର ମେଡିକାଲରେ । ସ୍ଥିତି ପରଖିବା ପାଇଁ ରାତିରେ ମେଡିକାଲରେ ପହଂଚିଥିଲେ କନକ ନ୍ୟୁଜର ପ୍ରତିନିଧି । ସେଠାରେ ପହଂଚିବା ପରେ ଶୀତରାତିରେ ହସ୍ପିଟାଲରେ ବେଡ଼ ନପାଇ,ନବଜାତ ସହ ପ୍ରସୂତୀ ବାରଣ୍ଡାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ହସ୍ପିଟାଲରେ ଦିନକୁ ଦିନ ବଢ଼ିବାରେ ଲାଗିଛି ରୋଗୀଙ୍କ ସଂଖ୍ୟା । ବାଲେଶ୍ୱର, ଭଦ୍ରକ, ମୟୂରଭଂଜ, ପଶ୍ଚିମବଙ୍ଗ ଏପରିକି ଝାଡ଼ଖଣ୍ଡରୁ ମଧ୍ୟ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଛନ୍ତି ।

ସବୁ ବିଭାଗରେ ରୋଗୀଙ୍କ ଖଚା ଖଚ ଭିଡ଼ ହେଉଛି । ହେଲେ ସବୁଠୁ ଅଧିକ ଦୟନୀୟ ଅବସ୍ଥା ପ୍ରସୂତୀ ବିଭାଗରେ ଦେଖିବାକୁ ମିଳିଛି । ପ୍ରସୂତୀଙ୍କ ପାଇଁ ସ୍ୱତନ୍ତ୍ର ବିଲ୍ଡିଂ ଥିଲେ ମଧ୍ୟ ତାହା ମଧ୍ୟ ସମୁଦ୍ରକୁ ସଂଖେ । ରୋଗୀଙ୍କ ଆବଶ୍ୟକ ମୁତାବକ ନା ଅଛି ବେଡ୍ ନା ଅଛି କୋଠରୀ । ଯାହାପାଇଁ ପ୍ରସବ ପରେ ହସ୍ପିଟାଲ ବାରଣ୍ଡାରେ ରହିବାକୁ ବାଧ୍ୟ ହେଉଛନ୍ତି ପ୍ରସୂତୀ । ଏନେଇ ବାରମ୍ବାର ଅଭିଯୋଗ ପରେ ବି କିଛି ସୁବିଧା ପ୍ରସୂତୀଙ୍କ ପାଇଁ ହୋଇନି । ସବୁଠୁ ଅଧିକ କଷ୍ଟ ଦେଉଛି ଶୀତୁଆ ରାତି ।

ପ୍ରସୂତୀ ଓ ନବଜାତଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ସଂକ୍ରମଣ ଅଧିକ ହେବାର ସମ୍ଭାବନା ଥିବାରୁ ପରିଷ୍କାର ପରିଚ୍ଛନ୍ନତା ଓ ଗରମ ଚିକିତ୍ସା କରାଯାଏ । ହେଲେ ଏଠାରେ ପ୍ରସୂତୀ ପର ଅସ୍ୱାସ୍ଥ୍ୟକର ପରିବେଶରେ ପଡ଼ି ରହୁଛନ୍ତି ପ୍ରସୂତି । ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ସମସ୍ୟା ସମ୍ପର୍କରେ ଜାଣିଛନ୍ତି ହେଲେ ଜାଗା ନଥିବାରୁ ଏଭଳି ସ୍ଥିତି ଉପୁଜୁଛି ।