ଖୋଲୁଛି ବହୁ ଚର୍ଚ୍ଚିତ ନକଲି ସାର୍ଟିଫିକେଟ୍ ମାମଲାର ଗୁମର : ଅସଲିରେ ଥାର୍ଡକ୍ଲାସ, ନକଲିରେ ଫାଷ୍ଟକ୍ଲାସ୍ ପାଇ ଡାକ ବିଭାଗ ମେରିଟ୍ ଲିଷ୍ଟକୁ ଆସିଥିଲେ ପିଲା

499

କନକ ବ୍ୟୁରୋ : ଖୋଲୁଛି ବହୁ ଚର୍ଚ୍ଚିତ ବଲାଙ୍ଗୀର ନକଲି ସାର୍ଟିଫିକେଟ୍ ମାମଲାର ଗୁମର । ଅସଲିରେ ଥାର୍ଡକ୍ଲାସ୍, ନକଲିରେ ଫାଷ୍ଟକ୍ଲାସ ପାଇ ଡାକ ବିଭାଗ ମେରିଟ୍ ଲିଷ୍ଟକୁ ଆସିଥିଲେ ପିଲା । ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ବଲାଙ୍ଗୀର ପୋଲିସ । ମାମଲାର ବିଭିନ୍ନ ଦିଗକୁ ତଦନ୍ତ କରିବା ପାଇଁ ୪ଟି ଟିମ୍ ଗଠନ ହୋଇଛି । ଗତ ରାତିରେ ଏକ ସ୍ୱତନ୍ତ୍ର ଟଇମ୍ ଉତ୍ତରପ୍ରଦେଶ ଗସ୍ତ କରିଥିବା ସୂଚନା ମିଳିଛି ।

ସେହିପରି ଆଉ ଏକ ଟିମ୍ ମାମଲାର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ଓ ସହଯୋଗୀ ଆଲୋକ ଉଦ୍ଗାତ କାହା କାହା ସହ ଟଙ୍କା ନେଣଦେଣ କରିଛନ୍ତି ସେ ଦିଗରେ ତଦନ୍ତ କରିବେ । ଏହି ଟିମ୍ କେତେ ଟଙ୍କା ନକଲି ସାର୍ଟିଫିକେଟରେ କାରବାର ହୋଇଛି ତାହା ବାହାର କରିବେ । ଅନ୍ୟ ଏକ ଟିମ୍ ସାଇବର ତର୍ଜମା କରିବେ । ଏଥିରେ କେଉଁ କେଉଁ ରାଜ୍ୟ ଓ ଜିଲ୍ଲାରେ ଏହାର ସଂଯୋଗ ଅଛି ସେଗୁଡ଼ିକୁ ତଦନ୍ତ ହେବ । ସେହିପରି ଆଉ ଏକ ଟିମ୍ ବଲାଙ୍ଗୀର ସହ ରାଜ୍ୟର ଅନ୍ୟ ଜିଲ୍ଲାରେ ମନୋଜର ଯୋଗାଯୋଗରେ ଥିବା ସମସ୍ତ ଦଲାଲଙ୍କୁ ଗିରଫ କରିବେ ବୋଲି ଜଣାପଡ଼ିଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ପ୍ରାର୍ଥୀଙ୍କ ମାଟ୍ରିକ୍‌ ସାର୍ଟିଫିକେଟ୍‌ ଯାଞ୍ଚ ସମୟରେ ନକଲି ସାର୍ଟିଫିକେଟ୍‌ରେ ଥିବା ମାର୍କକୁ ଦେଖି ଡାକ ବିଭାଗ ଅଧିକାରୀଙ୍କ ହୋସ୍‌ ଉଡ଼ିଯାଉଛି । କିଏ ଓଡ଼ିଆରେ ୧୦୦ରୁ ୯୯ ମାର୍କ ରଖିଛନ୍ତି ତ ଆଉ କାହାର ଗଣିତରେ ୧୦୦ରୁ ୧୦୦ । ଉତ୍ତର ପ୍ରଦେଶରେ ପାଠ ପଢ଼ି ଅଧିକାଂଶ ପିଲା ୯୬%ରୁ ୯୮% ମାର୍କ ରଖିଥିବା ସାର୍ଟିଫିକେଟ୍‌ରେ ଦର୍ଶାଯାଇଛି । ଓଡ଼ିଶାରେ ପାସ୍‌ କରିଥିବା ପିଲାଙ୍କର ମାର୍କ ବି ୯୫% ଉପରେ ରହିଛି । ମାତ୍ର ବାହାର ରାଜ୍ୟରୁ ପାଇଥିବା ନକଲି ସାର୍ଟିଫିକେଟ୍‌ରେ ମାର୍କ ଯେଉଁଭଳି ରହିଛି ତାହାକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି । ଯେଉଁମାନଙ୍କଠାରୁ ନକଲି ସାର୍ଟିଫିକେଟ୍‌ ଜବତ ହୋଇଛି, ସେମାନେ ସମସ୍ତେ ୯୦%ରୁ ଅଧିକ ମାର୍କ ରଖିଥିବା ଦେଖିବାକୁ ମିଳିଛି ।

ଓଡ଼ିଶାର ୧୩୮୨ ପଦବି ଲାଗି ନିଯୁକ୍ତି ପ୍ରକ୍ରିୟା ହେଉଛି। କେବଳ ମାଟ୍ରିକ୍‌ ମାର୍କ ଆଧାରରେ ହିଁ ନିଯୁକ୍ତି ପ୍ରକ୍ରିୟା ଚାଲିଛି । ଯେଉଁ ପ୍ରାର୍ଥୀଙ୍କର ଅଧିକ ମାର୍କ ରହିଥିବ, ସେମାନେ ନିଯୁକ୍ତି ପାଇବାକୁ ଯୋଗ୍ୟ । ତେଣୁ ପ୍ରାର୍ଥୀମାନେ ଅଧିକ ମାର୍କ ଦେଖାଇବା‌ ଲାଗି ନକଲି ସାର୍ଟିଫିକେଟ୍‌ର ଆଶ୍ରୟ ନେଉଛନ୍ତି, ଯାହାକି ଯାଞ୍ଚ ସମୟରେ ଧରାପଡ଼ିଛି । ଏବେ ସୁଦ୍ଧା ବଲାଙ୍ଗୀର, କେନ୍ଦ୍ରାପଡ଼ା, ଆସ୍କା ଓ ଢେଙ୍କାନାଳରେ ନକଲି ସାର୍ଟିଫିକେଟ୍‌ଧାରୀ ପ୍ରାର୍ଥୀ ଧରାପଡ଼ିବା ସହ ସେମାନଙ୍କ ବିରୋଧରେ ନିକଟସ୍ଥ ଥାନରେ ଏତଲା ଦିଆଯାଇଛି ।