ଷ୍ଟାର ଘରକଳି ଥମିଆସିଥିବା ବେଳେ ଭିଡିଓ ଜାରି କଲେ ବାବୁସାନ । ରାଜ୍ୟବାସୀଙ୍କୁ ମାଗିଲେ କ୍ଷମା । କହିଲେ, ଆଉ କେବେ ହେବନି ଏଭଳି ଭୁଲ ।

318

କନକ ବ୍ୟୁରୋ: ବିବାଦ ପରେ ନିଜ ଭାବମୂର୍ତ୍ତି ସୁଧାରିବାକୁ ଚେଷ୍ଟା କରିଛନ୍ତି ଓଲିଉଡ୍ ଷ୍ଟାର ବାବୁସାନ । ଏକ ଭିଡିଓ ଜାରି ବାବୁସାନ ଓଡ଼ିଶାବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି । ଏହାସହ ଆଗକୁ ଏମିତି କୌଣସି କାମ କରିବେ ନାହିଁ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ବାବୁସାନ । ଅନ୍ୟପଟେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ସମ୍ପର୍କକୁ ନେଇ ବାବୁସାନ ଓ ପତ୍ନୀ ତୃପ୍ତିଙ୍କ ମଧ୍ୟରେ ଯେଉଁ ଭୁଲ ବୁଝାମଣା ହୋଇଥିଲା, ତାର ସମାଧାନର ସଙ୍କେତ ମିଳୁଛି ।

  • ଓଡ଼ିଶାବାସୀଙ୍କୁ କ୍ଷମା ମାଗିଲେ ବାବୁସାନ
  • କହିଲେ, ଏଭଳି ଭୁଲ ଆଉ କେବେ ହେବନି

ଷ୍ଟାର କଳି ଯେତେବେଳେ ଦାଣ୍ଡରେ ପଡ଼ି ହାଟରେ ଗଡିଲା, ସେତେବେଳେ ସାରା ରାଜ୍ୟରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେଲା । ନିଆଁ ଭଳି ଭାଇରାଲ ହେଲା ଭିଡିଓ । ଜୁଲାଇ ୨୩ ତାରିଖ ସକାଳେ ଅଭିନେତା ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ଏକାଠି କାରରେ ଯାଉଥିବା ବେଳେ ହଠାତ ବାବୁସାନଙ୍କ ପତ୍ନୀ ତୃପ୍ତି ସେଠାରେ ପହଁଚିଥିଲେ । ସେଠାରେ ପ୍ରକୃତି ଓ ତୃପ୍ତିଙ୍କ ମଧ୍ୟରେ କଥା କଟାକଟି ହେବା ଦେଖିବାକୁ ମିଳିଥିଲା ।

ତୃପ୍ତି ମଧ୍ୟ ପ୍ରକୃତିଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଉଭୟଙ୍କ ପକ୍ଷରୁ ଥାନାରେ ଏ ନେଇ ଏତଲା ଦିଆଯାଇଥିଲା । ଏହାପରେ ବେଶ କିଛି ଦିନ ନାଟକୀୟ ଭାବେ ଅନେକ ଘଟଣା ଘଟିଥିଲା । ଘଟଣା ପରେ ପ୍ରକୃତି ଓ ବାବୁସାନ ଚେନ୍ନାଇ ଯାଇଥିଲେ । ଚେନ୍ନାଇରୁ ଫେରିବା ପରେ ମଧ୍ୟ ଦୁହେଁ ଚର୍ଚ୍ଚାରେ ରହିଥିଲେ । ତୃପ୍ତି, ତାଙ୍କ ସାଂସାରିକ ଜୀବନରେ ପ୍ରକୃତିଙ୍କ ଯୋଗୁଁ କିପରି ଝଡ଼ ଆସିଛି, ଖୋଲିକି କହିଥିଲେ । ଗଣମାଧ୍ୟମରେ ପ୍ରକୃତି ମଧ୍ୟ ତାଙ୍କ ସଫେଇ ରଖିଥିଲେ ।

ଚେନ୍ନାଇରେ ବାବୁସାନ ଥିବା ବେଳେ ଓଡ଼ିଶା ଫେରିଆସିବା ପାଇଁ ମାଆ ଅପରାଜିତାଙ୍କ ଅପିଲ୍ ବେଶ ଚର୍ଚ୍ଚାରେ ରହିଥିଲା । ବାବୁସାନ ଘରକୁ ଫେରିବା ପରେ ଥାନାରେ ପଚରାଉଚରା, ଘରେ ଜନ୍ମଦିନ ପାଳିବା ସବୁକିଛି ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲା । ଷ୍ଟାର ଘର କଳିର ଚର୍ଚ୍ଚା କମି ଆସିଥିବା ବେଳେ ଭିଡିଓ ଜାରି କରି ଓଡ଼ିଶାବାସୀଙ୍କୁ ଭୁଲ ମାଗିଛନ୍ତି ବାବୁସାନ ।

ଓଲିଉଡ୍ର ସୁପରଷ୍ଟାର ବାବୁସାନଙ୍କ ରାଜ୍ୟରେ ବେଶ ଲୋକପ୍ରିୟତା ରହିଛି । ତାଙ୍କ ବୈବାହିକ ଜୀବନରେ ଝଡ଼, ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଥିଲା । ଏପରି ଭିଡିଓ ଜାରି କରି ସମ୍ଭବତଃ ପ୍ରଶଂସକଙ୍କ ଆସ୍ଥା ଜିତିବାକୁ ପ୍ରୟାସ କରିଛନ୍ତି ବାବୁସାନ ଏବଂ ସେ ତାଙ୍କ ଇମେଜକୁ ସଜାଡିବାକୁ ଚାହୁଁଛନ୍ତି । ଏଭଳି ଭୁଲ ଆଉ କରିବେ ନାହିଁ କହିବା, ଏହା ଇଙ୍ଗିତ କରୁଛି ଯେ ପତ୍ନୀ ତୃପ୍ତିଙ୍କ ସହ ସଂପର୍କକୁ ମଧ୍ୟ ସଜାଜିବାକୁ ଚାହୁଁଛନ୍ତି ବାବୁସାନ ।