ଜମୁଛି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରଚାର । ମୈଦାନରେ ବିଜେଡି ଓ ବିଜେପି ପ୍ରାର୍ଥୀ । ଏପଟେ ସକାଳେ ଇସ୍ତଫା ଦେଲେ, ସଂଧ୍ୟାରେ ଫେରାଇ ନେଲେ କଂଗ୍ରେସ ଜିଲ୍ଲା ସଭାପତି

1,013

କନକ ବ୍ୟୁରୋ: ଝାରସୁଗୁଡା ଉପ ନିର୍ବାଚନ ସକାଶେ ସବୁ ଦଳ ଓ ସବୁ ପ୍ରାର୍ଥୀ ପ୍ରଚାରକୁ ଜୋରଦାର କରିଛନ୍ତି । ଆଜି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର ହୋଇଛି। କେଉଁଠି ନିଜେ ପ୍ରାର୍ଥୀ ତ କେଉଁଠି ପ୍ରାର୍ଥୀଙ୍କ ପାଇଁ ଦଳୀୟ ନେତା ଓହ୍ଲାଇଛନ୍ତି ପ୍ରଚାର ମଇଦାନକୁ। ଆଉ ଏହାରି ଭିତରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଅଶୋକ ମିଶ୍ର।

ନିର୍ବାଚନ ତାରିଖ ଯେତିକି ପାଖଉଛି ପ୍ରଚାର ସେତିକି ଜୋର ଧରୁଛି। ଦିନ ରାତି ଏକ କରି ପ୍ରାର୍ଥୀମାନେ ବିଭିନ୍ନ ସ୍ଥାନକୁ ଯାଇ ପ୍ରଚାର କରିଛନ୍ତି। କେଉଁଠି ରୋଡ଼ ସୋ ତ କେଉଁଠି ଲୋକଙ୍କୁ ସିଧାସଳଖ ଭେଟୁଛନ୍ତି ପ୍ରାର୍ଥୀ। ଆଜି ସକାଳୁ ଝାରସୁଗୁଡା ବ୍ଲକର ପତ୍ରାପାଲି ମଲଦା ଅଞ୍ଚଳରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଓ ପଦ୍ମପୁର ବିଧାୟିକା ବର୍ଷା ସିଂ ବାରିହା ଲୋକଙ୍କ ନିକଟକୁ ଯାଇ ଭୋଟ ଭିକ୍ଷା କରି ଆସନ୍ତା ନିର୍ବାଚନରେ ବିଜେଡିର ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି । ସେହିପରି ୱାର୍ଡ ନମ୍ବର ୨ ରେ ଡୋର ଟୁ ଡୋର ନିଜ ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର କରିଛନ୍ତି ମନ୍ତ୍ରୀ ରିତା ସାହୁ,ଅଳକା ମହାନ୍ତି ଓ ସାରଦା ନାୟକ।

ବିଜେଡ଼ି ଭଳି ଆଜି ବିଜେପି ମଧ୍ୟ ପ୍ରଚାରକୁ ଅଧିକ ଶାଣିତ କରିଛି। ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ଦଳର ଷ୍ଟାର ପ୍ରଚାରକ ଜୁଏଲ ଓରାମ,ସୁରେଶ ପୂଜାରୀ, ବୈଜୟନ୍ତ ପଣ୍ଡା, ବିଧାୟିକା କୁସୁମ ଟେଟେ। ଲାଇକେରା ଓ କୋଲାବିରା ବ୍ଲକରେ ସାଧାରଣ ସଭାରେ ଯୋଗଦେଇ ଭୋଟ ଭିକ୍ଷା କରୁଥିବା ବେଳେ ଆଜି ଝାରସୁଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀର ଅନ୍ୟସ୍ଥାନରେ ମଧ୍ୟ ଦଳର ହେଭିୱଟ ନେତା ପ୍ରଚାର କରିଥିଲେ।

ସେପଟେ ଝାରସୁଗୁଡା ଉପନିର୍ବାଚନକୁ ନିଜ ପକ୍ଷକୁ ନେବାକୁ ସବୁ ଦଳ ଲାଗି ପଡିଛନ୍ତି। ପ୍ରତିଦିନ ବିଭିନ୍ନ ଦଳର କର୍ମୀ ଓ ନେତା ଦଳତ୍ୟାଗ କରି ଅନ୍ୟ ଦଳରେ ମିଶୁଥିବା ବେଳେ, ଜିଲ୍ଲା କଂଗ୍ରେସ ସଭାପତି ପଦ ଛାଡିଛନ୍ତି ଅଶୋକ ମିଶ୍ର। ସଭାପତି ପଦରୁ ଇସ୍ତଫା ଦେବା ସଂକ୍ରାନ୍ତରେ ଏକ ଚିଠି ସେ ପିସିସି ସଭାପତିଙ୍କୁ ଦେଇଥିବା ବେଳେ ଏହାର କପି ଜାତୀୟ କଂଗ୍ରେସ ସଭାପତି ଓ ରାଜ୍ୟ ପ୍ରଭାରୀ ଏ ଚେଲ୍ଲାକୁମାର ଙ୍କୁ ପଠାଇଛନ୍ତି । ଇସ୍ତଫା ସଂକ୍ରାନ୍ତରେ କୌଣସି କାରଣ ଦର୍ଶାଇ ନଥିଲା ବେଳେ ପ୍ରତିକ୍ରିୟା ମଧ୍ୟ ଦେଇ ନାହାନ୍ତି। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ନିଜ ସହକର୍ମୀଙ୍କ ସହ ଆଜି ପ୍ରଚାର କରିଛନ୍ତି।

ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେଉଛି ଶେଷ ଉପ ନିର୍ବାଚନ। ତେବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ନିର୍ବାଚନକୁ ଗୁରୁତ୍ଵ ସହ ନେଇଥିବା ଦେଖିବାକୁ ମିଳିଛି ।