ପ୍ରଥମ ଥର ପାଇଁ ବୁଲାକୁକୁର ଗଣନା କରିବ ବିଏମସି । ବନ୍ଧ୍ୟାକରଣକୁ ଦିଆଯିବ ଗୁରୁତ୍ୱ । ଏପଟେ ପୋଷା କୁକୁର କାମୁଡିଲେ ମାଲିକ ଗଣିବେ ତଣ୍ଡ

65

କନକ ବ୍ୟୁରୋ: ରାଜଧାନୀରେ ବଢି ବଢି ଚାଲିଛି ବୁଲା କୁକୁରଙ୍କ ଦୌରାତ୍ମ୍ୟ । ସେମାନଙ୍କ ସଂଖ୍ୟା ବଢି ବଢି ଚାଲିଥିବାବେଳେ ସେ ତୁଳନାରେ ଖାଦ୍ୟ ମିଳୁନାହିଁ । ଯାହା ଫଳରେ ହିଂସ୍ର ହେବାରେ ଲାଗିଛନ୍ତି ବୁଲା କୁକୁର । ଏ ଦିଗରେ ଏବେ ତତ୍ପରତା ପ୍ରକାଶ କରି ବୁଲା କୁକୁରଙ୍କ ଗଣନା ଆରମ୍ଭ କରିଛି ବିଏମସି । ଆଗାମୀ ଦିନରେ କୁକୁରଙ୍କ ଜନ୍ମ ଉପରେ ନିୟନ୍ତ୍ରଣ ନେଇ ଲକ୍ଷ୍ୟ ରଖାଯାଇଛି ।

  • ବୁଲାକୁକୁର ବନାମ ପୋଷାକୁକୁର
  • ବୁଲାକୁକୁର ଗଣନା କରିବ ବିଏମସି

ରାଜଧାନୀରେ ବୁଲାକୁକୁରଙ୍କ ଦୌରାତ୍ମ୍ୟ ଏବେ ବଢିବାରେ ଲାଗିଛି । ରାଜଧାନୀରେ ପ୍ରତି ଏକ ଲକ୍ଷରେ ୩ ହଜାର ବୁଲାକୁକୁର ଅଛନ୍ତି । ରାଜଧାନୀରେ ବୁଲାକୁକୁରଙ୍କ ସଂଖ୍ୟା ବଢୁଥିବାରୁ ଖାଦ୍ୟର ଅଭାବ ଦେଖାଦେଉଛି ଓ ସେମାନେ ହିଂସ୍ର ହେଉଛନ୍ତି । ତେଣୁ ନିୟନ୍ତ୍ରଣ ପାଇଁ ବିଏମସି ପକ୍ଷରୁ ପ୍ରତି ୱାର୍ଡ ଓ ସାହିରେ ବୁଲାକୁକୁରଙ୍କ ଗଣନା ଆରମ୍ଭ ହେବ ।

  • ପ୍ରଥମ ଥର ପାଇଁ ରାଜ୍ୟରେ ବୁଲାକୁକୁର ଗଣନା ହେବ
  • ବନ୍ଧ୍ୟାକରଣକୁ ଗୁରୁତ୍ୱ ଦିଆଯାଇ ଷ୍ଟାରିଲାଇଟ କେନ୍ଦ୍ର ଖୋଲିବ
  • ଦେଢବର୍ଷ ମଧ୍ୟରେ କୁକୁରଙ୍କ ଜନ୍ମ ଉପରେ ନିୟନ୍ତ୍ରଣ ଲକ୍ଷ୍ୟ ରଖିଛି ବିଏମସି

ତେବେ ଗଣନା ନେଇ ସରକାରଙ୍କୁ ସୁପାରିଶ କରାଯାଇଛି । ଆଉ ଅନୁମତି ମିଳିବା ପରେ ଗଣନା ପାଇଁ ଟେଣ୍ଡର ଡକାଯିବ । ଅନ୍ୟପଟେ ବୁଲାକୁକୁରଙ୍କ ଗଣନା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ପୋଷାକୁକୁରଙ୍କ ଲାଗି ବିଏମସି ଯେଉଁ ନୂଆ ନିୟମ ଆଣିବାକୁ ଯାଉଛନ୍ତି, ତାକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିଲାଣି । ନିୟମ ଅନୁସାରେ…

  • ପୋଷା କୁକୁର କାମୁଡିଲେ ୧୦ ହଜାର ପର୍ଯ୍ୟନ୍ତ ଜୋରିମାନା ହେବ
  • କୁକୁର ରଖିଲେ ମାଲିକଙ୍କୁ ରେଜିଷ୍ଟ୍ରେସନ ଫି ଦେବାକୁ ପଡିବ
  • ବାହାରେ କୁକୁରଙ୍କୁ ମନଇଛା ବୁଲାଯାଇପାରିବ ନାହିଁ

ଏହାକୁ ନେଇ ପଶୁପ୍ରେମୀ ଓ ସାଧାରଣ ଲୋକ ପ୍ରଶ୍ନ ଉଠାଇଛନ୍ତି । ଏବେ ପୋଷାକୁକୁରଙ୍କ ପାଇଁ ଫାଇନ ଓ ନିୟମ ଏତେ ହୋଇଛି ଯେ, ପୋଷାକୁକୁର ରଖିବାକୁ ଚାହୁଁଥିବା ଲୋକେ ବି ଦ୍ୱନ୍ଦ୍ୱରେ ଅଛନ୍ତି । ସେମାନଙ୍କ ପ୍ରଶ୍ନ ହେଉଛି, ଯଦି ପୋଷାକୁକୁର କାମୁଡିଲେ ୧୦ ହଜାର ଫାଇନ , ତା ହେଲେ ବୁଲା କୁକୁର କାମୁଡିଲେ ବିଏମସି ଫାଇନ ଗଣିବ କି ?

ତେବେ ରାଜଧାନୀରେ ବୁଲାକୁକୁରଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦୌରାତ୍ମ୍ୟ ବଢୁଛି । ଲୋକେ ବି ବୁଲା କୁକୁରଙ୍କୁ ଆକ୍ରମଣ କରୁଛନ୍ତି । ଏହି ପ୍ରସଙ୍ଗରେ ମେୟରଙ୍କୁ ପ୍ରଶ୍ନ କରାଯିବାରୁ ମେୟର ଏହାକୁ ଏକ ସାଧାରଣ ପ୍ରସଙ୍ଗ କହି ଏଡାଇଯାଇଛନ୍ତି । ହେଲେ ପ୍ରଶ୍ନ ଉଠୁଛି, ପୋଷାକୁକୁରଙ୍କ ଉପରେ ଯଦି ଏତେ ନିୟମ ବୁଲା କୁକୁରଙ୍କ ପାଇଁ କି ନିୟମ ଆଣିବ ବିଏମସି ।