ପାକିସ୍ତାନକୁ ଲାଗିଲା ବଡ ଝଟକା । ଏଥର ହାଇବ୍ରିଡ୍ ମଡେଲରେ ଖେଳାଯିବ ଏସିଆ କପ୍ । ଜାଣନ୍ତୁ, କେବେଠୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ?

1,707

କନକ ବ୍ୟୁରୋ: ବହୁଦିନର ଛକାପଞ୍ଝା ପରେ ଏସିଆ କପକୁ ନେଇ ଆସିଛି ବଡ ଖବର । ଏଥର ହାଇବ୍ରିଡ୍ ମଡେଲରେ ଖେଳାଯିବ ଏସିଆ କପ୍ । ଖାଲି ସେତିକି ନୁହେଁ, ଅଗଷ୍ଟ-ସେପ୍ଟେମ୍ବର ମାସରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ତାରିଖ ମଧ୍ୟ ଘୋଷଣା କରାଯାଇଛି । ତେବେ ଏହି ଘୋଷଣା ପରେ ପାକିସ୍ତାନକୁ ବଡ ଝଟକା ଲାଗିଥିବାବେଳେ, ଶ୍ରୀଲଙ୍କା ପାଇଁ ଆସିଛି ଖୁସି ଖବର ।

ମିଳିଥିବା ସୂଚନା ମୁତାବକ, ହାଇବ୍ରିଡ୍ ମଡେଲରେ ଏସିଆ କପ୍ ଖେଳାଯିବାକୁ ନିଷ୍ପତ୍ତି ନିଆଯିବା ପରେ, ପାକିସ୍ତାନରେ କେବଳ ୪ଟି ମ୍ୟାଚ୍ ଆୟୋଜନ କରାଯିବ । ତା ବାଦ୍ ବାକି ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ । ଆସନ୍ତା ଅଗଷ୍ଟ ୩୧ ତାରିଖରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଥିବାବେଳେ, ସେପ୍ଟେମ୍ବର ୧୭ ତାରିଖରେ ଏହାର ଫାଇନାଲ ମ୍ୟାଚ୍ ଖେଳାଯିବ ।

ଆଇସିସି ସିଇଓ ଜେଓଫ୍ ଏଲର୍ଡିସ୍ ଏବଂ ଚେୟାରମ୍ୟାନ୍ ଗ୍ରେଗ୍ ବାର୍କେଲ, ପିସିବି ଅଧ୍ୟକ୍ଷ ନଜର ସେଠୀଙ୍କ ସହ ମିଶି ଏନେଇ ନିଷ୍ପତ୍ତି ନେଇଥିଲେ । ଯାହା ପରେ ଏସିଆ କପ୍ ହାଇବ୍ରିଡ୍ ମଡେଲରେ ଖେଳାଯିବ ବୋଲି ଜଣାପଡିଛି । ତେବେ ଏଥର ଏସିଆ କପ୍ ଆୟୋଜନ ପାକିସ୍ତାନ ପାଖରେ ଥିଲା । ହେଲେ ଟିମ୍ ଇଣ୍ଡିଆ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ଯିବାକୁ ମନା କରିଦେଇଥିଲା । ଯାହା ପରେ ଏହି ପ୍ରସଙ୍ଗକୁ ନେଇ ବିବାଦ ଠିଆ ହେଇଥିଲା । ତେବେ ବହୁ ବାଦ୍ ବିବାଦ ପରେ ଏବେ ହାଇବ୍ରିଡ୍ ମଡେଲରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ନିଷ୍ପତ୍ତି ହେଇଛି ।

ଏଥର ଦିନିକିଆ ଫର୍ମାଟରେ ଏସିଆ କପ୍ ଖେଳାଯିବ । ଯେଉଁଥିରେ କି, ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ଆଫଗାନିସ୍ତାନ, ବାଂଲାଦେଶ ସହିତ ନେପାଳ ଭାଗନେବେ । ତେବେ ଭାରତ, ପାକିସ୍ତାନ ଏବଂ ନେପାଳ ଗୋଟିଏ ଗ୍ରୁପରେ ଥିବାବେଳେ, ବାକି ଦେଶ ଅନ୍ୟ ଗୋଟିଏ ଗ୍ରୁପରେ ରହିଛନ୍ତି । ଲିଗ୍ ମ୍ୟାଚ୍ ଖେଳି ଦୁଇଟି ଗ୍ରୁପରୁ ଦୁଇଟି ଲେଖାଏଁ ଟିମ୍ ସୁପର-୪ରେ ପହଞ୍ଚିବେ । ସୁପର-୪ରେ ରାଉଣ୍ଡ ରବିନ୍ ଫର୍ମାଟରେ ମୋଟ ୬ଟି ମ୍ୟାଚ୍ ଖେଳାଯିବ । ଏହାପରେ ସେଠାରୁ ଶ୍ରେଷ୍ଠ ଦୁଇଟି ଟିମ୍ ଫାଇନାଲ ଖେଳିବେ । ଏଥର ଏସିଆ କପରେ ମୋଟ ୧୩ଟି ମ୍ୟାଚ୍ ଖେଳାଯିବ ।