‘BSKY ଯୋଜନାକୁ ବନ୍ଦ କରିବାକୁ ଚାହୁଁଛି ବିଜେପି, ଜୁନ୍ ୪ ତାରିଖରେ ଓଡିଶାବାସୀ ଏହାର ଜବାବ ଦେବେ’: ଭିକେ ପାଣ୍ଡିଆନ୍

88

କନକ ବ୍ୟୁରୋ: ବିଏସକେୱାଇ ଯୋଜନାକୁ ବନ୍ଦ କରି ଓଡିଶାରେ ଆୟୁ ଷ୍ମାନ ଯୋଜନା ଲାଗୁ କରିବାକୁ ଚାହୁଁଛି ବିଜେପି । ହେଲେ ଏହା କେବେବି ବନ୍ଦ ହେବନାହିଁ । କାରଣ ଓଡିଶାବାସୀ ଏହାର ସୁଫଳ କ’ଣ ଜାଣିଛନ୍ତି । ଆଗରୁ ଗରୀବଙ୍କ ପାଖରେ ନା ଅର୍ଥ ଥିଲା ନା ସାହାସ ଥିଲା ରାଜ୍ୟ ବାହାରକୁ ଯାଇ ଗୁରୁତର ରୋଗର ଚିକିତ୍ସା କରିବାକୁ । ହେଲେ ନବୀନ ବାବୁଙ୍କ ବିଏସକେୱାଇ ଯୋଜନା ଯୋଗୁଁ ଏବେ ଧନୀମାନେ ଯେଉଁଠି ଚିକତ୍ସା କରିପାରୁଛନ୍ତି ସେଠି ଗରିବ ମଧ୍ୟ ପହଂଚିପାରୁଛନ୍ତି । ମାଗଣାରେ ଚିକିତ୍ସା କରାଇପାରୁଛନ୍ତି । ଆୟୁଷ୍ମାନ ଯୋଜନା ଇନସ୍ୟୁରାନ୍ସ ଏଜେଣ୍ଟଙ୍କ ଜରିଆରେ କାର୍ଯ୍ୟକରୁଥିବାବେଳେ ବିଏସକେୱାଇ କିନ୍ତୁ ସିଧାସଳଖ କାମ କରୁଛି । ଏଟିଏମ୍ କାର୍ଡ ଭଳି ଲୋକେ ଏହାକୁ ସହଜରେ ବ୍ୟବହାର କରି ଚିକିତ୍ସା ପାଇଁ ଟଙ୍କା ଉଠାଇପାରୁଛନ୍ତି ।

ସବୁଠାରୁ ବଡ କଥା ହେଲା ଆୟୁଷ୍ମାନ ଯୋଜନାରେ ବିଜେପି ସରକାର ସାରା ଦେଶ ପାଇଁ ୭୦୦୦ କୋଟି ଟଙ୍କାର ବଜେଟ୍ ରଖିଥିବାବେଳେ ଓଡିଶା ଭାଗରେ ପଡୁଛି ମାତ୍ର ୩ଶହ କୋଟି । ହେଲେ ଓଡିଶାରେ ବିଏସକେୱାଇ ଯୋଜନାରେ ନବୀନ ସରକାର ମାସକୁ ଖର୍ଚ୍ଚ କରୁଛନ୍ତି ୩୦୦ କୋଟି । ବାହାର ରାଜ୍ୟର ବଡବଡ ହସ୍ପିଟାଲ ମାନଙ୍କରେ ରାଜ୍ୟସରକାର ମାସକୁୁ ପାଖାପାଖି ୧୮ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହି ଯୋଜନାରେ ପୁରୁଷଙ୍କ ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ବଜେଟ୍ ଥିବାବେଳେ ମହିଳାଙ୍କ ପାଇଁ ୧୦ ଲକ୍ଷ ଯାଏଁ ଚିକିତ୍ସା ଖର୍ଚ୍ଚର ବ୍ୟବସ୍ଥା ରହିଛି । ଆୟୁଷ୍ମାନ ଯୋଜନାରେ ୫୦ ଲକ୍ଷ ଲୋକ ଉପକୃତ ହୋଇପାରୁଥିବାବେଳେ ବିଏସକେୱାଇ ଯୋଜନାରେ ଓଡିଶାର ପାଖାପାଖି ୯୫ ଲକ୍ଷ ଲୋକ ଉପକୃତ ହୋଇପାରିଛନ୍ତି ।

ତେଣୁ ବିଜେଡି ବିଜେପି ଆଗରେ ଦାବି ରଖିଥିଲା, ଯଦି ସାହାସ ଅଛି ତାହେଲେ ନିଜ ଇସ୍ତାହାରରେ ବିଏସକେୱାଇ ସ୍କିମକୁ ବନ୍ଦ କରିବାକୁ ଘୋଷଣା କରି ଦେଖାଅ । ସେମାନେ ଡରିଗଲେ । ତଥାପି ବିଏସକେୱାଇ ସ୍କିମକୁ ବନ୍ଦ କରିବାକୁ ଯୋଜନା ରଖିଛନ୍ତି । କାରଣ ଏହାକୁ ନବୀନ ସରକାର କରିଛନ୍ତି ଏବଂ ଏହା ସାରା ଓଡିଶାବାସୀଙ୍କ ହୃଦୟକୁ ଛୁଇଁପାରିଛି । ତେଣୁ ଆଗକୁ ଜୁନ୍ ୪ ତାରିଖରେ ବିଜେଡିକୁ ଓଡିଶାବାସୀ ସେମାନଙ୍କ ଚକ୍ରାନ୍ତର ଠିକ ଜବାବ ଦେବେ ।