ଦିଲ୍ଲୀ ଅଧ୍ୟାଦେଶ ବିବାଦ : କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ଉପରେ କେଜ୍ରିୱାଲଙ୍କୁ ମିଳିଲା କଂଗ୍ରେସର ସମର୍ଥନ

187

କନକ ବ୍ୟୁରୋ : ଦେଶର ରାଜଧାନୀ ଦିଲ୍ଲରୁ ଏବେ ସମୟର ସବୁଠାରୁ ବଡ ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ ଦିଲ୍ଲୀ ସରକାରଙ୍କ ବିରୋଧରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ନେଇ କେଜ୍ରିୱାଲଙ୍କ ଦାବିକୁ କଂଗ୍ରେସ ସମର୍ଥନ ଜଣାଇଛି । ଏନେଇ କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ବାସଭବନରେ ଚାଲିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକ ଶେଷରେ ଅଧ୍ୟାଦେଶ ପ୍ରସଙ୍ଗରେ କଂଗ୍ରେସର ମତ ସାର୍ବଜନୀନ କରାଯାଇପାରେ ।

ସୂଚନା ମୁତାବକ ସଂସଦରେ ଅଧ୍ୟାଦେଶ ପ୍ରସଙ୍ଗ ଆସିଲେ କଂଗ୍ରେସ ଆପ୍ ଓ ଅନ୍ୟ ବିରୋଧୀଦଳଙ୍କ ସହ ଅଧ୍ୟାଦେଶକୁ ବିରୋଧ କରିବ । ସୂଚନା ଥାଉକି ବିହାରର ପାଟନା ଠାରେ ହୋଇଥିବା ବିରୋଧୀଦଳ ବୈଠକ ପରେ ଆମ୍ ଆଦମୀ ପାର୍ଟି ତରଫରୁ ଏକ ବୟାନ ଆସିଥିଲା । ଆପ୍ ଅଭିଯୋଗ ଆଣିଥିଲା କି କଂଗ୍ରେସ ବିଜେପି ସହ ମିଶି ଏହି ଅଧ୍ୟାଦେଶ ପାରିତ କରିବାକୁ ଚେଷ୍ଟା କରୁଛି ।

ଦିଲ୍ଲୀ ସରକାର କହିଥିଲେ କି ଅସାମ୍ବିଧାନିକ ଅଧ୍ୟାଦେଶ ବଳରେ କେନ୍ଦ୍ର ସରକାର ଦିଲ୍ଲୀବାସୀଙ୍କ ଅଧିକାର ଛଢେଇ ନେବାକୁ ଚେଷ୍ଟା କରୁଛନ୍ତି । ଏହାସହ ଅଧ୍ୟାଦେଶକୁ ବିରୋଧ କରିବା ନେଇ କଂଗ୍ରେସ ଏତେ ଡେରି କରୁଛି କାହିଁକି ବୋଲି ଆପ୍ ପ୍ରଶ୍ନ କରିଥିଲା । ମୁଖ୍ୟତଃ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିବା ପରେ ଦିଲ୍ଲୀ ମୁ୍ଖ୍ୟମନ୍ତ୍ରୀ ତଥା ଆପ୍ ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ବିରୋଧୀଦଳ ନେତାଙ୍କୁ ଭେଟିଥିଲେ । ସେପଟେ ରାଜ୍ୟସଭାରେ ଯଦି ବିରୋଧୀଦଳମାନେ କେଜ୍ରିୱାଲଙ୍କ ସମର୍ଥନ କରନ୍ତି ତେବେ ଅଧ୍ୟାଦେଶ ପାରିତ ହୋଇପାରିବ ନାହିଁ ।