ଗୁଜରାଟରେ ପରାଜୟ ପରେ ବି ଖୁସି ଅଛନ୍ତି କେଜ୍ରିୱାଲ, ଜାଣନ୍ତୁ କାରଣ

269

କନକ ବ୍ୟୁରୋ : ଗୁଜରାଟ ଓ ହିମାଚଳ ପ୍ରଦେଶରେ ହୋଇଥିବା ନିର୍ବାଚନ ଫଳାଫଳ ଆସି ସାରିଛି । ଗୁଜରାଟରେ ସପ୍ତମଥର ପାଇଁ ବିଜେପି ସରକାର ଗଠନ କରିବାକୁ ଯାଉଛି । ସେପଟେ ହିମାଚଳରେ ଚିରାଚରିତ ଢଙ୍ଗରେ ଏଥର ପାରି ବଦଳି କ୍ଷମତା କଂଗ୍ରେସ ହାତକୁ ଯାଇଛି । ହେଲେ ଗୁଜରାଟ ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ସୂଚନୀୟ ପରାଜୟ ହୋଇଛି । ଆପ୍,ର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସମେତ ଦଳର ଅନେକ ବରିଷ୍ଠ ନେତା ଗୁଜରାଟରେ ସରକାର ଗଠନ କରିବାକୁ ଦାବି କରୁଥିବା ବେଳେ ଦଳ ଦୁଇଅଙ୍କରେ ପହଂଚିପାରିନାହିଁ । ତଥାପି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅରବିନ୍ଦ କେଜ୍ରିୱାଲ ଖୁସିବ୍ୟକ୍ତ କରିଛନ୍ତି ।

ଆଜିର ଫଳାଫଳ ପରେ କେଜ୍ରିୱାଲ କହିଛନ୍ତି କି, ଆମ୍ ଆଦମୀ ପାର୍ଟି ଏକ ରାଷ୍ଟ୍ରୀୟ ପାର୍ଟିର ମାନ୍ୟତା ପାଇଛି । ଏଥିପାଇଁ ଗୁଜରାଟ ଭୋଟରଙ୍କୁ କେଜ୍ରିୱାଲ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ଗୁଜରାଟରେ ଦଳକୁ ଯେତେ ଭୋଟ ମିଳିଛି ସେହି ହିସାବରେ ଦଳ ଏବେ ରାଷ୍ଟ୍ରୀୟ ପାର୍ଟିର ମାନ୍ୟତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି ।

ସେପଟେ କେଜ୍ରିୱାଲ ଦାବି କରିଛନ୍ତି କି କଂଗ୍ରେସ ନୁହେଁ ବରଂ ଆମ୍ ଆଦମୀ ପାର୍ଟି ଗୁଜରାଟରେ ବିଜେପିର ଦୁର୍ଗ ଭାଙ୍ଗିବାରେ ସଫଳ ହେବ । ଏନେଇ ଦଳ ଏକ ସକରାତ୍ମକ କ୍ୟାମ୍ପେନ ଆରମ୍ଭ କରିଥିବା କଥା କେଜ୍ରିୱାଲ ସୂଚନା ଦେଇଛନ୍ତି ।

ତେବେ ଜାଣନ୍ତୁ ରାଷ୍ଟ୍ରୀୟ ପାର୍ଟି ହେବା ପାଇଁ କଣ ରହିଛି ନିୟମ ? ସମ୍ବିଧାନ ବିଶେଷଜ୍ଞ ସୁଭାଷ କଶ୍ୟପଙ୍କ ମୁତାବକ ଏକ ଦଳ ରାଷ୍ଟ୍ରୀୟ ଦଳର ମାନ୍ୟତା ପାଇବାକୁ ହେଲେ ଅତି କମରେ ୪ ଟି ଲୋକସଭା ସିଟ୍ ଜିତିବା ସହ ଲୋକସଭା ନିର୍ବାଚନରେ ୬ ପ୍ରତିଶତ ଭୋଟ ହାସଲ କରିବା ଦରକାର । ନଚେତ ବିଧାନସଭା ନିର୍ବାଚନରେ ୪ କିମ୍ବା ଏହାଠାରୁ ଅଧିକ ରାଜ୍ୟରେ ମୋଟ ୬ ପ୍ରତିଶତରୁ ଅଧିକ ଭୋଟ ହାସଲ କରିବା ଦରକାର । ଏହି କ୍ରମରେ ଆମ୍ ଆଦମୀ ପାର୍ଟି ଗୋଆରେ ୨ ଟି ବିଧାନସଭା ଆସନ ହାତେଇବା ସହ ୬.୭୭ ପ୍ରତିଶତ ଭୋଟ ହାସଲ କରିଛି ।