ବିଜେପି ନିର୍ବାଚନୀ ଇସ୍ତାହାରରେ ରହିବ କଣ? ରାଜ୍ୟର କୋଟିଏ ଲୋକଙ୍କ ମତ ସଂଗ୍ରହ କରିବ ଦଳ

150

କନକ ବ୍ୟୁରୋ: ଲୋକଙ୍କ ମତ ଆଧାରରେ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବ ବିଜେପି । ଏଥିପାଇଁ ୧ କୋଟି ଜନମତ ସଂଗ୍ରହ ଅଭିଯାନ ଆରମ୍ଭ କରିଛି ଦଳ । ରାଜ୍ୟର ଏକ କୋଟି ଲୋକଙ୍କ ପାଖକୁ ଯାଇ ବିଜେପି ସଂକଳ୍ପ ପତ୍ର ପାଇଁ ପରାମର୍ଶ ଲୋଡିବ । ଏହାସହ ବିଜେପିଠାରୁ ଚାହୁଁଛନ୍ତି କଣ, ଏନେଇ ନମୋ ଆପ୍ ଜରିଆରେ ଜନତା ଜଣାଇପାରିବେ ।

୨୪ ନିର୍ବାଚନରେ ଲୋକଙ୍କ ମନ ଜିଣିବା ପାଇଁ ଏମିତି ଏକ ବଡ ଅଭିଯାନ କରିଛି, ଭାରତୀୟ ଜନତା ପାର୍ଟି । ବିଜେପି କାର୍ଯ୍ୟାଳୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି ଅଭିଯାନ ଜରିଆରେ ସାରା ରାଜ୍ୟରୁ କୋଟିଏ ଜନମତ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି ବିଜେପି । ଯୋଜନା ଅନୁସାରେ ପ୍ରତି ନିର୍ବାଚନ ମଣ୍ଡଳୀରେ ୨ଟି ଗାଡି ବୁଲିବ । ସେଥିରେ ସଂକଳ୍ପପତ୍ର ବାକ୍ସ ରହିବ । ଲୋକମାନେ ଗାଡି ପାଖକୁ ଆସି ମତାମତ ଦେବାକୁ ଅପିଲ କରିଛନ୍ତି ମନମୋହନ । ଏଥିସହ ନମୋ ଆପରେ ଭଏସ ମେସେଜ୍ ଜରିଆରେ ମଧ୍ୟ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ନିଜର ମତ ବା ପରାମର୍ଶ ଦେଇପାରିବେ ।

କେଉଁ ପ୍ରସଙ୍ଗରେ ଦେବେ ମତ..
– ଚାଷୀଙ୍କ ଆୟ ୨ଗୁଣ କେମିତି କରିବା?
-ଦାଦନ ସମସ୍ୟାର ସମାଧାନ?
– ଚିଟଫଣ୍ଡ ପ୍ରସଙ୍ଗରେ ସରକାରଙ୍କ ନୀତି କଣ ରହିବ ଆବଶ୍ୟକ?
– ମହିଳା ସଶକ୍ତିକରଣ ପାଇଁ ଆଉ କଣ ପଦକ୍ଷେପ ନେବାକୁ ପଡିବ ?
– ବିଜେପି କ୍ଷମତାକୁ ଆସିଲେ ଆଉ କଣ ଜନମଙ୍ଗଳକାରୀ ଯୋଜନା କରିହେବ?

ତେବେ ଇସ୍ତାହାର ପାଇଁ ବିଜେପିର ଜନମତ ସଂଗ୍ରହ ଅଭିଯାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ବିଧାୟକ । ଅନ୍ୟପଟେ ୨୦୧୯ରେ ବିଜେପି ଦେଇଥିବା ୨୩୫ ନିର୍ବାଚନୀ ପ୍ରତିଶ୍ରୁତିରୁ ୨୨୨ ପ୍ରତିଶ୍ରୁତି ପାଳନ କରିଛନ୍ତି କେନ୍ଦ୍ର ସରକାର ।

ମାଗଣା ବଂଟନ ଯୋଜନାକୁ ରେବଡୀ ସଂସ୍କୃତି କହି ସମାଲୋଚନା କରିଥାଏ ବିଜେପି । ତେଣୁ ଆଗାମି ଇସ୍ତାହାରରେ ବିଜେପି ସେହିଭଳି କିଛି ପ୍ରତିଶ୍ରୁତି ଦେଉଛି କି ନାହିଁ ତା ଦେଖିବାକୁ ବାକି ରହିଲା ।