ଆଜି ସଂସଦରେ ଆସିବ ସାଧାରଣ ବଜେଟ ! ୨୦୧୯ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବଜେଟ ଉପସ୍ଥାପନ କରିବେ ଅରୁଣ ଜେଟଲି

34

କନକ ବ୍ୟୁରୋ : ଆଜି ସଂସଦରେ ଆଗତ ହେବ ସାଧାରଣ ବଜେଟ୍ । ୨୦୧୯ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବାର୍ଷିକ ବଜେଟ୍ । ଫଳରେ ସାରା ଦେଶର ଜନତାଙ୍କ ନଜର ରହିଛି ଏହି ବଜେଟ୍ ଉପରେ । ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ଆଉ କିଛି ଘଂଟା ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଲୋକସଭାରେ ବଜେଟ ଉପସ୍ଥାପନ କରିବେ । ଜିଏସଟି ଅର୍ଥାତ୍ ଗୋଟିଏ ଦେଶ ଗୋଟିଏ ଟିକସ ପରେ ଏହି ବଜେଟକୁ ବେଶ ଗୁରୁତ୍ୱ ଦିଆଯାଉଛି । ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ସହ ୨୦୧୯ ନିର୍ବାଚନକୁ ଆଖିଆଗରେ ରଖି ଏକ ଲୋକାଭିମୁଖୀ ବଜେଟ ଅରୁଣ ଜେଟଲୀ ଉପସ୍ଥାପନ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ୨୦୧୯ରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ, ୨୦୧୮ର ବଜେଟ ଲୋକାଭିମୁଖୀ ହେବ । ତେଣୁ ଭଲ ରାଜନୀତି ଆଉ ଦେଶର ଅର୍ଥନୀତି ଭିତରେ ସନ୍ତୁଳନ ରକ୍ଷାକରି ଆଗରୁ ବଢିବା ଅର୍ଥମନ୍ତ୍ରୀଙ୍କ ସାମ୍ନାରେ ବଡ ଆହ୍ୱାନ । ଖାଲି ଏତିକି ନୁହେଁ, ଚଳିତବର୍ଷ ସାରା ଦେଶରେ ୮ଟି ରାଜ୍ୟରେ ମଧ୍ୟ ନିର୍ବାଚନ ହେବାକୁ ଅଛି ।

ଆଉ ସେହି ଦୃଷ୍ଟିକୋଣରୁ ଜେଟଲୀଙ୍କ ବଜେଟ ପେଡିରୁ ଅନେକ କିଛି ସମ୍ଭାବନା ମଧ୍ୟ ରହିଛି । ସାଧାରଣ ଜନତା, କ୍ଷୁଦ୍ର ବ୍ୟବସାୟୀ, ଗ୍ରାମାଂଚଳ ଭୋଟର୍, କୃଷି, ବ୍ୟାଙ୍କ ସମେତ ସମାଜର ସବୁ ବର୍ଗ ପାଇଁ ଅର୍ଥମନ୍ତ୍ରୀ ସନ୍ତୁଷ୍ଟିକରଣର ମନ୍ତ୍ର ପଢିପାରନ୍ତି । ତେବେ ଜେଟଲୀ କାହାର ଆଶା ପୂରଣ କରୁଛନ୍ତି ଆଉ କାହାକୁ ନିରାଶ କରୁଛନ୍ତି, ତାର ଉତରକୁ ଅପେକ୍ଷା ରହିଛି । ୧୩୦ କୋଟି ଜନତା, ସାଧାରଣ ନିର୍ବାଚନ ଆଗରୁ ଶେଷ ପୂର୍ଣ୍ଣାଙ୍ଗ ବଜେଟ ତଥା ଜିଏସଟିରେ କ୍ଷତିଗ୍ରସ୍ତ ବିଭିନ୍ନ ବର୍ଗ ଓ ପ୍ରତିଟି ଶ୍ରେଣୀ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ହେବ ମୋଦିଙ୍କ ନମ୍ବର ଟୁ ତଥା ଦେଶର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସାମ୍ନାରେ ସବୁଠାରୁ ବଡ ଆହ୍ୱାନ ।

ସେପଟେ ବିମୁଦ୍ରାକରଣ ଓ ଜିଏସଟି ଭଳି କଠୋର ଆର୍ଥିକ ସଂସ୍କାର ଯୋଗୁଁ ଶିଥିଳ ପଡିଥିବା ଅଭିବୃଦ୍ଧି କିପରି ପୁଣି ଥରେ ଆଗକୁ ବଢିବ, ସରକାରଙ୍କ ଲାଗି ଏହା ସବୁଠୁ ବଡ଼ ଆହ୍ୱାନ । ଗୋଟିଏ ପଟେ ବିଭିନ୍ନ ସେକ୍ଟରର ଚାପ ଭିତରେ ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ଅନ୍ୟପଟେ ୧୨୫ କୋଟି ଜନତାଙ୍କ ଅନେକ ଆଶା ଆକାଂକ୍ଷା କରିଛି ଏହି ବଜେଟ୍ ଉପରେ । ବଜେଟରେ କ’ଣ ଘୋଷଣା କରିବେ ସରକାର ? ଏହା ଉପରେ ବଢି ଚାଲିଛି ଉତ୍କଣ୍ଠା । ବିଶେଷ କରି ଆୟକର ସୀମା ୩ ଲକ୍ଷ ଟଙ୍କାକୁ ବୃଦ୍ଧି ନେଇ ଚର୍ଚ୍ଚା ଚାଲିଥିବା ବେଳେ କ’ଣ କରୁଛନ୍ତି ଅର୍ଥମନ୍ତ୍ରୀ ଏହା ଉପରେ ରହିଛି ସମସ୍ତଙ୍କ ନଜର । ପେଟ୍ରୋଲ ଦରବୃଦ୍ଧି ଏବେ ଉଭୟ ସରକାର ଓ ଖାଉଟିଙ୍କ ଚିନ୍ତା ବଢାଇଦେଇଛି । ତେଣୁ ପେଟ୍ରୋଲ ଓ ଡିଜେଲକୁ ଜିଏସଟିରେ ଅନ୍ତର୍ଭୁକ୍ତ କରିବାକୁ ଦାବି ହେଉଛି । ଆଶା ରହିଛି, ଏ ନେଇ କିଛି ଘୋଷଣା କରିପାରନ୍ତି ସରକାର ।

ବଜେଟ୍ ୨୦୧୮ରେ ମୋଦିଙ୍କ ମହତ୍ୱାକାଂକ୍ଷୀ ଡିଜିଟାଲ ଇଣ୍ଡିଆ ଯୋଜନା ଫୋକସରେ ରହିବା ସମ୍ଭାବନା ରହିଛି । ସରକାର ପେପର-ଲେସ୍ କାରବାର ଉପରେ ଗୁରୁତ୍ୱ ଦେଉଥିବା ବେଳେ ଡିଜିଟାଲ ଇଣ୍ଡିଆ ପାଇଁ ଥିବା ପ୍ରତିବନ୍ଧକ ଦୂର କରିବା ଦିଗରେ ପଦକ୍ଷେପ ନେଇପାରନ୍ତି ଅର୍ଥମନ୍ତ୍ରୀ । ଆର୍ଥିକ ନିଅଂଟକୁ ନିୟନ୍ତ୍ରଣ ଭିତରେ ରଖି ଲୋକଙ୍କ ଆଶା ପୂର୍ଣ୍ଣ କରିବା ହେବ ଜେଟଲୀଙ୍କ ପାଇଁ ବଡ଼ ଆହ୍ୱାନ । ଜିଏସଟି ପରର ପ୍ରଥମ ବଜେଟ୍ ହୋଇଥିବାରୁ ନିଯୁକ୍ତି ବୃଦ୍ଧି ପାଇଁ ସରକାର ନେଇପାରନ୍ତି ପଦକ୍ଷେପ । ତେଣୁ ଭିତିଭୂମି ଓ ଗ୍ରାମ୍ୟ ଉନ୍ନୟନ କ୍ଷେତ୍ରରେ ଅଧିକ ନିବେଶ କରିବା ସମ୍ଭାବନା ରହିଛି ।ଦର ବୃଦ୍ଧି ରୋକିବା ପାଇଁ ପଦକ୍ଷେପ, କର୍ପୋରେଟ୍ ଟାକ୍ସ ହ୍ରାସ, ବ୍ୟାଙ୍କଗୁଡିକର ଏନପିଏ ସମସ୍ୟା ପାଇଁ ପଦକ୍ଷେପ, ଷ୍ଟକ ବଜାରକୁ ପ୍ରୋତ୍ସାହନ, ସାଇବର ସିକ୍ୟୁରିଟି ଉପରେ ଫୋକସ ରଖିପାରନ୍ତି ସରକାର ।

ସେହିପରି ରେଳ ବଜେଟରେ ଯାତ୍ରୀଙ୍କ ସୁରକ୍ଷା, ଉନ୍ନତମାନର ସେବା, ସୁଲଭ ମୂଲ୍ୟରେ ଯାତ୍ରା ଆଦିକୁ ଆଗ୍ରାଧିକାର ଦିଆଯିବା ସମ୍ଭାବନା ରହିଛି । ଟିକଟ ଦର ବୃଦ୍ଧି ହେବା ସମ୍ଭାବନା କମ ରହିଛି ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି । ସେପଟେ ରେଳବାଇର ବିକାଶ ଲାଗି ଓଡ଼ିଶା ୬୫୦୦ କୋଟି ଦାବି କରିଥିବା ବେଳେ ରେଳମନ୍ତ୍ରୀ କେତେ ଆବଂଟନ କରୁଛନ୍ତି, ତାହା ଉପରେ ନଜର ରହିଛି । ଏହା ସହ ପୂର୍ବାଂଚଳ ରାଜ୍ୟଗୁଡିକ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିପାରନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଏହାର ଫାଇଦା ଓଡିଶାକୁ ମିଳିବା ସମ୍ଭାବନା ରହିଛି ।