ଶେଷ ହେଲା ଖଣ୍ଡଗିରି କୁମ୍ଭମେଳା ! ବିଦାୟ ନେଲେ ସାଧୁସନ୍ଥ

65

କନକ ବ୍ୟୁରୋ : ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳାରେ ଆଜି ପୂର୍ଣଛେଦ ପଡ଼ିଛି । ମାଘ ପୂର୍ଣମୀ ତିଥି ଅବସରରେ ସାଧୁସନ୍ଥମାନେ ହୋମଯଜ୍ଞରେ ପୂର୍ଣାହୁତି ଦେବା ସହ ବିଦାୟ ନେଇଛନ୍ତି । ଚନ୍ଦ୍ରଗ୍ରହଣ ପାଇଁ ବିଧି ବିଳମ୍ବିତ ହୋଇଥିଲେ ବି ମିଳିତଭାବେ ପ୍ରସାଦ ସେବନ ପରେ ସାଧୁସନ୍ଥମାନଙ୍କୁ ଶ୍ରଦ୍ଧାଳୁମାନେ ମେଲାଣି ଦେଇଛନ୍ତି । ତେଣୁ ୮ ଦିନ ଯାଏଁ ପାହାଡ଼ ଉପରେ ଲାଗିଥିବା ଗହଳଚହଳରେ ଆଜି ପଡ଼ିଛି ପୂର୍ଣଛେଦ ।  ଚନ୍ଦ୍ରଗ୍ରହଣ ଯୋଗୁଁ ସବୁ କିଛି ସମସ୍ୟା ଦେଖାଦେଇଥିଲା । ଦିନତମାମ୍‌ ହୋମ ଯଜ୍ଞ ଓ ରାମଚରିତ ମାନସ ପଠନ ବନ୍ଦ ଥିଲା । ତେଣୁ ପାହାଡ଼ ଉପରେ ଏକପ୍ରକାର ନିରବତା ପରିଲକ୍ଷିତ ହୋଇଥିଲା । କିଛି ସାଧୁ ଗତକାଲି ବିଳମ୍ବିତ ରାତିରେ ହିଁ ଯଜ୍ଞରେ ପୂର୍ଣାହୁତି ଦେଇ ସାରିଥିଲେ । କିନ୍ତୁ ସେମାନେ ମେଳାରୁ ମେଲାଣି ନେଇନଥିଲେ । ଯେଉଁ ସାଧୁସନ୍ଥମାନେ ପୂର୍ଣମୀ ପାଇଁ ବା ଚନ୍ଦ୍ରଗ୍ରହଣର ମୋକ୍ଷ ପରକୁ ଅପେକ୍ଷା କରିଥିଲେ, ସେମାନଙ୍କ ଅନୁରୋଧକ୍ରମେ ସମସ୍ତେ ଅପେକ୍ଷା କରିଥିଲେ । ମା ବାରଭୂଜା ପୀଠରେ ଆଜି ଚନ୍ଦ୍ରଗ୍ରହଣ ମୋକ୍ଷ ପରେ ରାମଚରିତ ପାରାୟଣ ଓ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣାହୁତି ଦିଆଯାଇଥିଲା । ରାତି ୧୦ଟା ପରେ ପୂର୍ଣାହୁତି ପର୍ବ ଆରମ୍ଭ ହୋଇଥିଲା । ସେହିଭଳି ମୋକ୍ଷ ପରେ ପ୍ରସାଦ ବ୍ୟଞ୍ଜନ କରାଯାଇଥିଲା ଓ ରାତି ପ୍ରାୟ ୧ଟା ପରେ ସମସ୍ତ ସାଧୁସନ୍ଥମାନେ ମଳିତଭାବେ ପ୍ରସାଦ ସେବନ କରିଥିଲେ ।

khandagiri kumbha melaଗତକାଲି ଚନ୍ଦ୍ରଗ୍ରହଣ ପାଇଁ ହାଣ୍ଡି ଛାଡ଼ ଥିଲା । ଲୋକେ ମୋକ୍ଷ ପର୍ଯ୍ୟନ୍ତ ପାକଛାଡ଼ ବିଧି ଅନୁସାରେ ଉପାସ କରିଥିଲେ । କିନ୍ତୁ ମେଳାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ଠିକ୍‌ ଯେତିକିବେଳେ ଚନ୍ଦ୍ରଙ୍କଠାରେ ଗ୍ରହଣ ଲାଗିଥିଲା, ସେହି ସମୟରେ ମେଳାର ଫାଷ୍ଟ ଫୁଡ୍‌ ଦୋକାନମାନଙ୍କରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଥିଲା । ଛୋଟ ପିଲା ତ ଖାଉଥିଲେ, ସେମାନଙ୍କ ସହିତ ବୟସ୍କ ମହିଳାମାନେ ବି ଖାଇ ଯାଉଥିଲେ । ଏମିତିକି ଚାଉମିନ୍‌, ପକୋଡ଼ା, ଏଗ୍‌ ରୋଲ୍‌ ଭଳି ଆମିଷ ଷ୍ଟଲ୍‌ମାନଙ୍କରେ ବି ସବୁ ବର୍ଗର ଲୋକେ ଖାଉଥିଲେ । କେହି ଚନ୍ଦ୍ରଗ୍ରହଣ କଥାକୁ ଗୁରୁତ୍ୱ ଦେଉନଥିଲେ । ଆଜି ସନ୍ଧ୍ୟାରେ ବେପାର ମାନ୍ଦା ପଡ଼ିବ ବୋଲି ବେପାରୀମାନେ ପୂର୍ବରୁ ମନକଷ୍ଟ କରିଥିଲେ । କିନ୍ତୁ ସେପରି କିଛି ହେଲା ନାହିଁ । କୁମ୍ଭମେଳାର ଅନ୍ତିମ ଦିନରେ ଯେମିତି ବେପାର ହେବା କଥା, ସେମିତି ହୋଇଥିଲା । ତେଣୁ ଦୋକାନୀମାନେ ବେଶ୍‌ ଖୁସି ଥିଲେ ।

ଗତକାଲି ଚନ୍ଦ୍ରଗ୍ରହଣ ମେଳା ଭିଡ଼କୁ ସେତେ ପ୍ରଭାବିତ କରିପାରିନଥିଲା । ଚନ୍ଦ୍ରଗ୍ରହଣ ସତ୍ୱେ ମେଳାରେ ଭିଡ଼ କିଛି କମ୍‌ ନଥିଲା । ଦିନରେ ଅବଶ୍ୟ କିଛି ମାତ୍ରାରେ ପ୍ରଭାବ ପଡ଼ିଥିଲା । ଖାଁ ଖାଁ ଲାଗୁଥିଲା ମେଳା । ମାତ୍ର ଅପରାହ୍ଣ ହେବା ପରେ ଭିଡ଼ ବଢ଼ିଥିଲା । ଅପରାହ୍‌ଣ ୪ଟା ପରଠାରୁ ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ ଜନଗହଳି ବେଶ୍‌ ଲାଗି ରହିଥିଲା । ରାତି ୯ଟା ପରେ ହଠାତ୍‌ ପୁଣି ଭିଡ଼ କମି ଯାଇଥିଲା ଓ ୧୧ଟା ପରେ ପୁଣି ଯାତ୍ରା ଦର୍ଶକମାନଙ୍କ ଭିଡ଼ ଜମିଥିଲା ।