‘ଦାଢି ବଢେଇ ଲାଡେନ୍ ହେଲେଣି ରାହୁଲ… ଗଜନୀ ଭଳି ଭୁଲିଯାଉଛନ୍ତି ନୀତିଶ’: ବିହାର ବିଜେପି ଅଧ୍ୟକ୍ଷଙ୍କ ବାକ୍ ଆକ୍ରମଣ

218

କନକ ବ୍ୟୁରୋ: ବିହାର ବିଜେପି ଅଧ୍ୟକ୍ଷ ସମ୍ରାଟ ଚୌଧୁରୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ବିବାଦୀୟ ବୟାନ ଦେଇଛନ୍ତି । ଅରରିୟାରେ ଏକ ଜନସଭାକୁ ସମ୍ବୋଧନ କରିବାକୁ ଯାଇ ରାହୁଲ ଗାନ୍ଧୀଙ୍କୁ ଆତଙ୍କବାଦୀ ଲିଡର ଓସାମା ବିନ୍ ଲାଡେନ ସହ ରାହୁଲଙ୍କୁ ତୁଳନା କରିଛନ୍ତି । ସେ କହିଛନ୍ତି ଯେ, ‘ରାହୁଲ ଗାନ୍ଧୀ ଆଜିକାଲି ଦାଢି ବଢାଇ ଓସାମା ବିନ୍ ଲାଡେନ ବନିଲେଣି ଏବଂ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଆଶା କରୁଛନ୍ତି’ । ଏତିକିରେ ରହିନଥିଲେ ସମ୍ରାଟ ଚୌଧୁରୀ । ଆହୁରି ମଧ୍ୟ କହିଥିଲେ ଯେ, ‘ରାହୁଲ ଗାନ୍ଧୀ ୫୦ ବର୍ଷର ପିଲା । ଯେଉଁ ବ୍ୟକ୍ତିଙ୍କୁ ୫୦ ବର୍ଷରେ ବି ରାଜନୀତିର ବୁଦ୍ଧି ନଥିବ ତାଙ୍କୁ ପିଲା ଠାରୁ ଅଧିକ କ’ଣ କୁହାଯାଇପାରିବ?’ ।

ଏହାପରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ ସମ୍ରାଟ ଚେଧୁରୀ । କହିଲେ ‘ ନୀତିଶ ବିରୋଧୀଙ୍କୁ ଏକାଠି କରି ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି । ହେଲେ ବିରୋଧୀଙ୍କ ମଧ୍ୟରେ କିଏ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ଏହା ଏବେଯାଏଁ ଠିକ୍ କରିପାରୁନାହାଁନ୍ତି । ସେମିତିରେ ବି ନୀତିଶ କୁମାରଙ୍କ ମାନସିକ ଅବସ୍ଥା ଠିକ ନାହିଁ । ତାଙ୍କ ଅବସ୍ଥା ଫିଲ୍ମ ଗଜନୀର ମୁଖ୍ୟ ଅମୀର ଖାନଙ୍କ ଚରିତ୍ର ଭଳି ହୋଇଯାଇଛି । ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ତାଙ୍କୁ ଏତେ ଅସ୍ତବ୍ୟସ୍ତ କରିପକାଉଛି ଯେ, ତାଙ୍କୁ ଭୁଲିଯିବାର ରୋଗ ହୋଇଗଲାଣି’ ।

ଏହାପରେ ଲଭ୍ ଜିହାଦ୍ ପ୍ରସଙ୍ଗ ଉଠାଇଥିଲେ ସମ୍ରାଟ ଚୌଧୁରୀ । କହିଲେ ‘ବିହାରରେ ବିଜେପି ସରକାର ହେଲେ ଲଭ୍ ଜିହାଦକୁ ପ୍ରଥମେ ଟାର୍ଗେଟ କରାଯିବ । ବିଜେପି ସରକାର ଆସିଲେ ଗୋହତ୍ୟା କରୁଥିବା ଲୋକଙ୍କୁ ଜେଲ ପଠାଯିବ । ରାଜ୍ୟରେ ଜଣେ ହେଲେ ବି ବାଂଲାଦେଶୀ ଅନୁପ୍ରବେଶକାରୀ ରହିପାରିବେ ନାହିଁ । କେବଳ ବିହାରରେ ନୁହେଁ ପୁରା ଭାରତ ବର୍ଷରୁ ସେମାନଙ୍କୁ ବାହାର କରାଯିବ । ଭାରତରେ ରହି ଯେଉଁମାନେ ପାକିସ୍ତାନର ଗୁଣଗାନ କରୁଛନ୍ତି ସେମାନଙ୍କୁ ମଧ୍ୟ ନିସ୍ତାର ନାହିଁ । ଯେଉଁମାନଙ୍କୁ ହିନ୍ଦୁସ୍ତାନରେ ରହିବାର ଅଛି ସେମାନଙ୍କୁ ଦେଶ ସହ ଚାଲିବାକୁ ପଡିବ’ ।