ରାଜଧାନୀରେ ପୁଣି ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

100

କନକ ବ୍ୟୁରୋ : ରାଜଧାନୀରୁ ପୁଣି ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ୱର କଳିଙ୍ଗନଗରର ଏକ ଭଡା ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳ ଓଡିଆଲପୁର ଗାଁର ୨୭ ବର୍ଷ ବୟସ୍କ ବୈକୁଣ୍ଠ ତରାଇ ବୋଲି ଚିହ୍ନଟ ହୋଇଛି । ସେ କିଛି ଦିନ ହେଲା ଭୁବନେଶ୍ୱରରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ ।

ଝୁଲନ୍ତା ଅବସ୍ଥାରେ ପୁଅର ମୃତଦେହ ଉଦ୍ଧାର ହେବା ଘଟଣାକୁ ପରିବାର ଲୋକ ଗ୍ରହଣ କରିପାରୁ ନାହାନ୍ତି । ଏହା ଆତ୍ମହତ୍ୟା ନୁହେଁ ବରଂ କେହି ହତ୍ୟା କରି ମୃତଦେହକୁ ଟାଙ୍ଗି ଦେଇଥିବା ଭରତପୁର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ମୃତଦେହ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଭରତପୁର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ପୁଲିସ କହିଛି ।