କେଜ୍ରିୱାଲଙ୍କୁ ଚିଠି ଲେଖିଲେ ସାମାଜିକ କର୍ମୀ ଆନ୍ନା ହଜାରେ, କ୍ଷମତାକୁ ନେଇ କହିଲେ ଏଭଳି କଥା

876

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତିରେ କଥିତ ଦୁର୍ନୀତି ଅଭିଯୋଗକୁ ଏବେ ସାମ୍ନା କରୁଛି ଆମ୍ ଆଦମୀ ପାର୍ଟି । ଏହି କ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଚିଠି ଲେଖିଛନ୍ତି ସାମାଜିକ କର୍ମୀ ଆନ୍ନା ହଜାରେ । ଆନ୍ନା ହଜାରେ ଚିଠି ମାଧ୍ୟମରେ ଅରବିନ୍ଦ କେଜ୍ରିୱାଲଙ୍କୁ କଟାକ୍ଷ କରିଛନ୍ତି । ସେ ଲେଖିଛନ୍ତି କି ‘ଶେଷରେ ତୁମେ ବି କ୍ଷମତା ନିଶାରେ ବୁଡିଗଲ’

ଆନ୍ନା ହଜାରେ କେଜ୍ରିୱାଲଙ୍କୁ ଲେଖିଥିବା ଚିଠିର ସାରାଂସ ଏଭଳି ରହିଛି ‘ତୁମେ ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତୁମ ନିକଟକୁ ମୋର ପ୍ରଥମ ଚିଠି । ପୂର୍ବ କିଛିଦିନ ହେବ ଦିଲ୍ଲୀ ସରକାରଙ୍କ ଅବକାରୀ ନୀତିକୁ ନେଇ ଖବର ଆସୁଛି । ଏହି ଖବର ଶୁଣିବା ଓ ପଢିବା ପରେ ମୁଁ ଦୁଖିତ ଅଛି ’ । ଆନ୍ନା ଆହୁରି ଲେଖିଛନ୍ତି ଯେ ମୁଁ ମହାତ୍ମା ଗାନ୍ଧୀଙ୍କ ଗାଁ କୁ ଚାଲ ବିଚାରରେ ପ୍ରେରିତ ହୋଇ ମୋର ଜୀବନ ଗାଁ ଓ ଦେଶ ପାଇଁ ସମର୍ପିତ କରିଦେଇଛି । ଗତ ୪୭ ବର୍ଷ ଧରି ଗ୍ରାମ ବିକାଶ ପାଇଁ ମୁଁ କାର୍ଯ୍ୟ କରୁଛି ଓ ଏହାସହ ଭ୍ରଷ୍ଟାଚାର ବିରୋଧରେ ଆନ୍ଦୋଳନ ଜାରି ରଖିଛି ।

ଆନ୍ନା ହଜାରେ ଅରବିନ୍ଦ କେଜ୍ରୱାଲଙ୍କୁ ପୁରୁଣା ଦିନର କଥା ମନେ ପକାଇ ଚିଠିରେ ଲେଖିଛନ୍ତି ଯେ, ତୁମେ(କେଜ୍ରିୱାଲ) ଓ ମନୀଷ ସିସୋଦିଆ ଅନେକ ଥର ମୋ ଗାଁ ରାଲେଗଣ ସିଦ୍ଧି ଆସିଛ । ଗାଁ ଲୋକଙ୍କ ଦ୍ୱାରା ହୋଇଥିବା କାମକୁ ବି ଅନୁଧ୍ୟାନ କରିଛ । ଗତ ୩୫ ବର୍ଷ ଧରି ମୋ ଗାଁରେ ବିଡି, ସିଗାରେଟ ଓ ମଦ ବିକ୍ରି କିଭଳି ବନ୍ଦ ହୋଇଛି ତାହା ତୁମେ ଜାଣିଛ । ତୁମେ ଏସବୁକୁ ଦେଖି ପ୍ରେରିତ ହେବା ସହ ପ୍ରଶଂସା ବି କରିଛ ।

ସୂଚନା ଥାଉକି କେଜ୍ରିୱାଲ ରାଜନୀତିକୁ ଆସିବା ପୂର୍ବରୁ ଆନ୍ନା ହଜାରେଙ୍କ ସହ ମିଳିତ ଭାବେ ଲୋକପାଳ ବିଲକୁ ନେଇ ଆନ୍ଦୋଳନ କରିଥିଲେ । ଏହି ଆନ୍ଦୋଳନରୁ କେଜ୍ରିୱାଲଙ୍କ ଲୋକପ୍ରିୟତା ବୃଦ୍ଧି ପାଇଥିଲା । ଏହାକୁ ଆଧାର କରି ସେ କ୍ରମାଗତ ଭାବେ ୩ ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି ।