ସାହାଯ୍ୟ ଅପେକ୍ଷାରେ ଦିବ୍ୟାଙ୍ଗ ପଞ୍ଚାନନ : କେବେ ଶୁଣିବେ ସରକାର ?

84

କନକ ବ୍ୟୁରୋ : ଚାଲିବାକୁ ଗୋଡରେ ବଳନାହିଁ । ଦୁଃଖ ଟିକକ ବଖାଣିବାକୁ ପାଟିରେ ଶବ୍ଦ ବି ନାହିଁ । ସତରେ ଏ ଜୀବନ.. ବଡ ଯନ୍ତ୍ରଣା ଦେଉଛି । ଦିନେ ଯେଉଁ ପାଟିରୁ ମା ତାରିଣୀଙ୍କ ପାଇଁ ଭଜନ ବାହାରୁଥିଲା । ସଙ୍କୀର୍ତନ କରି ଯାହାର ସମୟ କଟୁଥିଲା । ଏବେ ସେ ଦୁଇ ପାହୁଣ୍ଡ ଯିବାକୁ ଅନ୍ୟର ସାହାରା ଲୋଡୁଛି, ଘରୁ ଟିକେ ବାହାରିବାକୁ ଅନ୍ୟ କାନ୍ଧର ସାହାଯ୍ୟ ଖୋଜୁଛି ।

ଝାଟି ମାଟିର ଏ ଘର, ଆଉ ଘର ଆଗରେ ଏ କୁନି କୁଡିଆ । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମଲ୍ଲିପଶି ଗାଁର କଳାକାର..ପଞ୍ଚାନନ ନାଏକଙ୍କ ଏ ଦୁଃଖ କାହାଣୀ… ଯେ ଦେଖିବ ଆଉ ଅନୁଭବ କରିବ । ତା ଆଖିରୁ ନିଶ୍ଚୟ ଲୁହ ନିଗିଡିଯିବ । ଜନ୍ମରୁ ଦୃଷ୍ଟିହୀନ ପଞ୍ଚାନନଙ୍କ ପରିବାର କହିଲେ ଏଇ ତିନିଜଣ । ଘରେ ପାଗେଳୀ ସ୍ତ୍ରୀ ଆଉ ବଢିଲା ଝିଅ । ପଞ୍ଚାନନଙ୍କ ଦେହ ଯେତେବେଳେ ଭଲ ଥିଲା, ସେତେବେଳେ ଯାହା ତା କରି ପରିବାର ପୋଷି ହେଇ ଯାଉଥିଲା । ହେଲେ ଯେବେଠୁ ସେ ପକ୍ଷାଘାତରେ ଆକ୍ରାନ୍ତ ହେଇଛନ୍ତି । ସେବେଠୁ ଓଳିଏ ଖାଇଲେ, ଦି ଓଳି ଉପାସ ।

ଜନ୍ମରୁ ଦୃଷ୍ଟିହୀନ ପଞ୍ଚାନନ ସଂଙ୍କୀର୍ତନ କରି, ଭଜନ ଗାଇ…ଦି ପଇସା ରୋଜଗାର କରୁଥିଲେ । ହେଲେ ୩ ବର୍ଷ ତଳେ ହଠାତ୍ ସେ ପକ୍ଷାଘାତରେ ଆକ୍ରାନ୍ତ ହେଇପଡିଥିଲେ । ଆଉ ସେବେଠୁ ତାଙ୍କ ସ୍ୱର ପୂରାପୂରି ନିରବୀ ଯାଇଛି । ଆଉ ହାତ ଖଞ୍ଜଣି ଧରିବାକୁ ବଳ ହରେଇଛି ।

ଜଣେ ଭଲ ସଙ୍କୀର୍ତନ କଳାକାର ହେଇଥିଲେ ବି.. ପଞ୍ଚାନନଙ୍କୁୁ ଆଜି ଯାଏଁ ସରକାରଙ୍କ ତରଫରୁ ଭତା ଟିକେ ମିଳିପାରିନି… ଅସହାୟ ହେଇଥିଲେ ପ୍ରଶାସନର ନଜର ତାଙ୍କ ଉପରେ ଟିକେ ବି ପଡିନି । ମାସ ଶେଷକୁ ରାସନ କାର୍ଡରେ ଯେତିକି ଚାଉଳ ମିଳୁଛି । ତା ସମୁଦ୍ରକୁ ଶଙ୍ଖେ ଭଳି । ଏପରି ସମୟରେ ପଞ୍ଚାନନଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗେଇ ଦେବାକୁ ଗାଁ ଲୋକ, ପାଖ ପଡୋଶୀ ଦାବି କରିଛନ୍ତି ।

ଅସହାୟଙ୍କ ପାଇଁ ସରକାର ଅନେକ ଯୋଜନା ଆଣୁଛନ୍ତି । ସରକାରୀ କଳ ସାହାଯ୍ୟ ଯୋଗାଉଛି ବୋଲି କହି, ଅନେକ ଥର ବାଃ ବାଃ ବି ଲୁଟୁଛି । ହେଲେ ଆଜି ପଂଚାନନଙ୍କ ଭଳି ଅନେକ ଲୋକ, ସରକାରୀ ସାହାଯ୍ୟ ଅଭାବରୁ ଏମିତି ଦୁଃଖରେ ଜୀବନ ବିତୋଉଛନ୍ତି । ଲୁହ ପିଇ ପିଇ ଦିନ କାଟୁଛନ୍ତି ।