ଅମିତାଭ ବଚ୍ଚନଙ୍କ ଜନ୍ମଦିନର ଶୁଭେଚ୍ଛା । ଜଲସା ବାସଭବନ ବାହାରେ ପହଁଚି ପ୍ରିୟ ଅଭିନେତାଙ୍କୁ ଶୁଭେଚ୍ଛା ଜଣାଇଲେ ଶହ ଶହ ପ୍ରଶଂସକ

98

କନକ ବ୍ୟୁରୋ : ଫିଲ୍ମ ଦୁନିଆକୁ ଅନେକ କଳାକାର ଆସନ୍ତି ଯାଆନ୍ତି । ଏହା ଭିତରେ କିଛି ଜଣ ଥାଆନ୍ତି ଯେଉଁମାନେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରନ୍ତି । ଏହା ଭିତରେ ଜଣେ ମାତ୍ର ଚେହେରା ରହିଛି ଯାହାଙ୍କ ଗୋଟିଏ ଝଲକ ଓ ଅନନ୍ୟ କଣ୍ଠସ୍ୱର ହିଁ ତାଙ୍କ ପରିଚୟ ପାଇଁ ଯଥେଷ୍ଟ । ସେ ହେଉଛନ୍ତି ଶତାଦ୍ଧୀର ସେହେନଶା ଅମିତାଭ ବଚ୍ଚନ । ଅକ୍ଟୋବର ୧୧ ତାରିଖରେ ବିଗ ବି ନିଜର ୮୧ ତମ ଜନ୍ମଦିନ ପାଳିଛନ୍ତି । ବିଳମ୍ବିତ ରାତିରେ ବିଗ ବି ନିଜ ଫ୍ୟାନ୍ ଓ ପରିବାର ଲୋକଙ୍କ ସହ ଜନ୍ମଦିନ ସେଲିବ୍ରେସନ କରିଛନ୍ତି । ଜନ୍ମଦିନ ପାଳନ କରିବାକୁ ଅମିତାଭଙ୍କ ବାସଭବନ ଜଲସା ଆଗରେ ଅନେକ ଶୁଭେଚ୍ଛୁ ଏକାଠି ହୋଇଥିଲେ । ଆଉ ବିଗ ବି ମଧ୍ୟ ଶୁଭେଚ୍ଛୁଙ୍କ ଅଭିଭାବଦନ ଗ୍ରହଣ କରିବାକୁ ଘରୁ ବାହାରି ଆସିଥିଲେ । ହାତ ହଲାଇ ପ୍ରଶଂସକଙ୍କ ଉତ୍ସାହ ବଢାଇଥିଲେ ଅମିତାଭ ବଚ୍ଚନ । ଏହାପରେ ବିଳମ୍ବିତ ରାତିରେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ‘ଆପଣମାନଙ୍କ ଆଶୀର୍ବାଦ ମୋର ସୌଭାଗ୍ୟ’ । ସେପଟେ ମୁମ୍ବାଇର କିଛି ଥିଏଟରରେ ସ୍ୱତନ୍ତ୍ର ଶୋର ଆୟୋଜନ କରାଯାଇଛି । ଅମିତାଭଙ୍କ କିଛି ବ୍ଲକବଷ୍ଟର ପୁରୁଣା ସିନେମା ପୁଣି ପ୍ରଦର୍ଶିତ କରାଯାଇଛି । ଯାହାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମରେ ବଲିଉଡର ଅନେକ କଳାକାର ପହଁଚିଛନ୍ତି । ଦେଶବିଦେଶରୁ ବିଗବିଙ୍କ ପାଇଁ ଅଜସ୍ର ଶୁଭେଚ୍ଛାର ସୁଅ ଛୁଟିଛି । ସୋସିଆଲ ମିଡିଆରେ ୟୁର୍ଜରସ ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ଅମିତାଭଙ୍କ ଦୀର୍ଘଜୀବନର କାମନା କରିଛନ୍ତି ପ୍ରଶଂସକ ।