ରଙ୍ଗାରଙ୍ଗ ହେବ ଭାରତ-ପାକିସ୍ତାନ ମ୍ୟାଚ । ମ୍ୟାଚ ପୂର୍ବରୁ ଜଲୱା ଦେଖାଇବେ ବଲିଉଡ ଷ୍ଟାର

966

କନକ ବ୍ୟୁରୋ : ଅକ୍ଟୋବର ୧୪ ତାରିଖରେ ଅହମଦାବାଦରେ ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । ଏଥିପାଇଁ ବଡ଼ ଆୟୋଜନ କରିଛି ବିସିସିଆଇ । ମ୍ୟାଚ ପୂର୍ବରୁ ରଙ୍ଗାରଙ୍ଗ ମେଲୋଡି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଶନିବାର ମଧ୍ୟାନ ୨ଟାରେ ମ୍ୟାଚ ଆରମ୍ଭ ହେବାର ଅଛି । ଏହା ପୂର୍ବରୁ ୧୨.୩୦ ମିନିଟରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେବ । ବଲିଉଡ ଷ୍ଟାରମାନେ ଏଥିରେ ନାଚଗୀତ ପରିବେଷଣ କରିବେ । ଯାହା ମଧ୍ୟାନ ୧.୧୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ । ବଲିଉଡର ନାମୀଦାମୀ କଳାକାର ୩୦ ମିନିଟ୍ ଦର୍ଶକଙ୍କ ମନୋରଞ୍ଜନ କରିବେ । ଏଥିସହ ଛୋଟ ଛୋଟ ପିଲା ଦୁଇ ଦେଶର ଖେଳାଳିଙ୍କୁ ପଡିଆ ଭିତରକୁ ନେବାର କାର୍ଯ୍ୟକ୍ରମ ରହିଛି ।

ବିଶ୍ୱକପର ଉଦଘାଟନୀ ମ୍ୟାଚରେ କୌଣସି ଉତ୍ସବ ଦେଖିବାକୁ ମିଳିନଥିଲା । ଏପରିକି ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚରେ ବି କିଛି ଆୟୋଜନ କରିନଥିଲା ଭାରତ । ହେଲେ ଦୁଇ ଦେଶ ମଧ୍ୟରେ ଶତ୍ରୂୁତା ଥିଲେ ବି ଭାରତ-ପାକିସ୍ତାନ ମ୍ୟାଚରେ କ୍ରିକେଟପ୍ରେମୀଙ୍କ ଆଗ୍ରହ ଥିବାରୁ ବଲିଉଡ କଳାକାରଙ୍କୁ ନେଇ ମେଲୋଡି କାର୍ଯ୍ୟକ୍ରମ ଆୟୋଜନ କରିଛି ଭାରତ ।

ବିଶ୍ୱକପ ପୂର୍ବରୁ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଗୋଲଡେନ ଟିକେଟ ପ୍ର୍ରଦାନ କରିଥିଲା ବିସିସିଆଇ । ଗୋଲଡେନ ଟିକେଟଧାରୀଙ୍କ ମଧ୍ୟରେ ଥିଲେ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ, ସାଉଥଷ୍ଟାର ରଜନିକାନ୍ତ ଏବଂ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର । ଏହି ତିନି ସେଲିବ୍ରିଟିଙ୍କ ସହ ଗୋଲଡେନ ଟିକେଟଧାରୀ ଭିଆଇପିମାନେ ଏହି ମ୍ୟାଚରେ ଉପସ୍ଥିତ ରହିବେ ବୋଲି ସୂଚନା ମଳିଛି । ଭାରତ ଏବଂ ପାକିସ୍ତାନ ପରସ୍ପରକୁ ଶତ୍ରୁ ଭାବୁଥିବାରୁ ଦୁଇ ଦେଶର ମ୍ୟାଚ ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି । ଏଥିପାଇଁ ଅହମ୍ମଦାବାଦରେ ବହୁ ପୂର୍ବରୁ ସବୁ ହୋଟଲ ବୁକ ସରିଯାଇଛି । ଏହି ମ୍ୟାଚରେ ପାକିସ୍ତାନର ୨୦ରୁ ୨୫ ଗଣମାଧ୍ୟମ ସଂସ୍ଥା ଏବଂ ପିସିିବିର କାର୍ଯ୍ୟକର୍ତାମାନେ ଯୋଗଦେବେ ବୋଲି ସୂଚନା ମଳିଛି ।

ସବୁଠୁ ବଡ଼ କଥା ହେଉଛି ଦିନିକିଆ ବିଶ୍ୱକପ ଇତିହାସରେ ଏପର୍ଯ୍ୟନ୍ତ ଭାରତ ବିପକ୍ଷରେ ଗୋଟିଏ ବି ମ୍ୟାଚ ଜିତିପାରିନାହିଁ ପାକିସ୍ତାନ । ପାକିସ୍ତାନ ବିଶ୍ୱକପ ଜିତିଥିଲେ ବି ଭାରତ ବିପକ୍ଷରେ ଖେଳିଥିବା ୭ ଟି ଯାକ ମ୍ୟାଚ ହାରିଯାଇଛି । ତେଣୁ ଏଥର ମ୍ୟାଚ ଜିତି ଅଲୋଡା ରେକର୍ଡ ଭାଙ୍ଗବାକୁ ଚେଷ୍ଟା କରିବ ପାକିସ୍ତାନ ଦଳ ।