ପୁଣି ଶାହାଙ୍କ ମୁହଁରେ ଓଡିଶା କଥା । କହିଲେ, ନିର୍ବାଚନରେ ନବୀନ ବାବୁଙ୍କ ସହ ସାମ୍ନାସାମ୍ନି ଲଢେଇ । 

1,073

କନକ ବ୍ୟୁରୋ: ଓଡିଶାରେ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ପ୍ରସଙ୍ଗରେ ପୁଣିଥରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏକ ନିର୍ଦ୍ଧିଷ୍ଟ ଜାତୀୟ ଗଣମାଧ୍ୟମକୁ ଇଣ୍ଟରଭ୍ୟୁ ଦେଇ ଶାହା ଯେଉଁ କଥା କହିଛନ୍ତି, ତାକୁ ନେଇ ଏବେ ଚର୍ଚ୍ଚା ବଢିଛି । ଶାହା କହିଛନ୍ତି ଯେ, ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦୃଢ ବିଶ୍ୱାସ ଏବଂ ଓଡିଆ ଭାଷା, ସଂସ୍କୃତି ଏବଂ ଗର୍ବ ପାଇଁ ଭାରତୀୟ ଜନତା ପାର୍ଟି ଓଡିଶାରେ ଏକାକି ଲଢିବାକୁ ନିଷ୍ପତି ନେଇଥିଲା । ତେଣୁ ଆସନ୍ତା ନିର୍ବାଚନରେ ଓଡିଶାବାସୀ ବିଜେପିକୁ ଥରେ ସରକାର ଗଠନ କରିବାର ସୁଯୋଗ ଦେବାକୁ ଶାହା ଅନୁରୋଧ କରିଛନ୍ତି ।

ଅନ୍ୟପଟେ ଏଥର ନିର୍ବାଚନରେ ନବୀନ ବାବୁ ତାଙ୍କ ସାମ୍ନାରେ ଅଛନ୍ତି । ନବୀନଙ୍କ ସାମ୍ନାରେ ରହି ସେ ନିର୍ବାଚନ ଲଢୁଛନ୍ତି ବୋଲି କହିଛନ୍ତି ଶାହା । ଖାଲି ସେତିକି ନୁହେଁ, ଯେଉଁଠି ମୋଦୀଙ୍କ ନେତୃତ୍ୱ ଅଛି, ସେଠି ବିକାଶ ହେଇଛି, ତେଣୁ ଓଡିଶାର ବିକାଶ ଦାୟିତ୍ୱ ମୋଦୀଙ୍କୁ ଦେବାକୁ ଶାହା ଆହ୍ୱାନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ଧରି ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏପରିକି ଦୁଇ ଦଳର ନେତା ମଧ୍ୟ ଏନେଇ ଅଳ୍ପ ଅଳ୍ପ ସଙ୍କେତ ଦେଇଥିଲେ । ହେଲେ ଶେଷ ମୁହୂର୍ତ୍ତରେ କିନ୍ତୁ ଦୁଇ ଦଳଙ୍କ ଭିତରେ ମେଣ୍ଟ ସମ୍ଭବପର ହେଇନଥିଲା । ଏବଂ ଦୁଇ ଦଳ ଆସନ୍ତା ନିର୍ବାଚନରେ ଓଡିଆ ଅସ୍ମିତା ଓ ଗୌରବ ସହ ନିର୍ବାଚନ ଲଢିବେ ବୋଲି ସୂଚନା ଦେଇଥିଲେ । ବାସ୍, ଏହାପରେ ଦୁଇ ଦଳ ବର୍ତ୍ତମାନ ପ୍ରାର୍ଥୀ ଘୋଷଣା କରିବା ସହିତ ନିର୍ବାଚନୀ ମୈଦାନରେ ମୁହାଁମୁହିଁ ହେଉଛନ୍ତି ।