ଗାନ୍ଧୀନଗରରେ ହେବ କଡା ଟକ୍କର । ନାମାଙ୍କନ ଭରିଲେ ଅମିତ ଶାହା । ୨୦୧୯ରେ ୫ ଲକ୍ଷରୁ ଅଧିକ ଭୋଟରେ ଜିତିଥିଲେ ଶାହା ।

280

କନକ ବ୍ୟୁରୋ: ଗୁଜରାଟର ଗାନ୍ଧୀନଗରରେ ନାମାଙ୍କନ ଭରିଛନ୍ତି ବିଜେପି ଚାଣକ୍ୟ ଅମିତ ଶାହା । ଗାନ୍ଧୀନଗର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଅମିତ ଶାହାଙ୍କ ସହ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ପଟେଲ ଓ ବିଜେପିର ବରିଷ୍ଠ ରାଜ୍ୟ ନେତୃତ୍ୱ ଉପସ୍ଥିତ ରହିଥିଲେ । ଗାନ୍ଧୀନଗର ହେଉଛି ଗୁଜୁରାଟର ଅନ୍ୟତମ ବୃହତ ଲୋକସଭା ଆସନ । ଯେଉଁଥିରେ ଅହମ୍ମଦାବାଦ, ଗାନ୍ଧୀନଗର ଭଳି ଜନବହୁଳ ସହର ରହିଛି । ଦ୍ୱିତୀୟ ଥର ପାଇଁ ଲୋକସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ।

୨୦୧୯ ଲୋକସଭା ନିର୍ବାଚନରେ ୫ ଲକ୍ଷ ଭୋଟ ବ୍ୟବଧାନରେ ଶାହା ବିଜୟୀ ହୋଇଥିଲେ । ଚଳିତ ନିର୍ବାଚନରେ ଗାନ୍ଧୀ ନଗରରେ ଅମିତ ଶାହାଙ୍କ ବିରୋଧରେ କଂଗ୍ରେସ ପ୍ରାର୍ଥୀ ସୋନାଲ ପଟେଲ ପ୍ରତିଦ୍ୱନ୍ଦ୍ୱିତା କରିବେ । ଗତ ନିର୍ବାଚନରେ ବିଜେପିକୁ ପଟ୍ଟିଦାର ଓ ରାଜପୁତ ସମୁଦାୟ ବିପୁଳ ସମର୍ଥନ କରିଥିଲେ । ଏଥର କିନ୍ତୁ ରାଜପୁତ ସମୁଦାୟ ବିଜେପିକୁ ବିରୋଧ କରୁଥିବାରୁ ଗାନ୍ଧୀ ନଗରରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେବ ବୋଲି ରାଜନୈତିକ ସମୀକ୍ଷକ ମତ ପ୍ରକାଶ କରିଛନ୍ତି ।