ବିଜେପି ରାଷ୍ଟ୍ରୀୟ ସଭାପତିଙ୍କ ଘରେ ମନ୍ତ୍ରୀଙ୍କ ଧାଡି : ଜେ.ପି ନଡ୍ଡାଙ୍କୁ ଭେଟିଲେ ଅନେକ କେନ୍ଦ୍ରମନ୍ତ୍ରୀ; ମୋସୁମୀ ଅଧିବେଶନ ପୂର୍ବରୁ ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା

108

କନକ ବ୍ୟୁରୋ : ୨୦ରୁ ସଂସଦର ମୌସୁମୀ ଅଧିବେଶନ । ଏହା ପୂର୍ବରୁ ଯେକୌଣସି ଦିନ ନୂଆ ମନ୍ତ୍ରିମଣ୍ଡଳ ଅଦଳ ବଦଳ ଘୋଷଣା ହୋଇପାରେ । ଦିଲ୍ଲୀରେ ଥିବା ବିଜେପି ମୁଖ୍ୟାଳୟରେ ଦଳର ସଭାପତି ଜେପି ନଡାଙ୍କୁ ଅନେକ କେନ୍ଦ୍ରମନ୍ତ୍ରୀ ଭେଟୁଛନ୍ତି । ସର୍ବପ୍ରଥମେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜେ.ପି ନଡାଙ୍କୁ ଭେଟିଥିଲେ । ଏହାପରେ ନିକଟରେ ଆଇନ ମନ୍ତ୍ରୀ ପଦରୁ ହଟାଯାଇଥିବା କିରଣ ରିଜିଜୁ ଏବଂ କ୍ୟାବିନେଟରେ ତାଙ୍କ ସ୍ଥାନ ନେଇଥିବା ଅର୍ଜୁନ ରାମ ମେଘୱାଲ ମଧ୍ୟ ଜେପି ନଡାଙ୍କୁ ଭେଟିଛନ୍ତି ।

ଏହା ସହିତ କେନ୍ଦ୍ର ରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏସପି ବାଗେଲ, ଜଳ ସମ୍ପଦ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତ, ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀ ପ୍ରଧାନ ସିଂ ପଟେଲ ମଧ୍ୟ ନଡାଙ୍କୁ ଭେଟିଛନ୍ତି । ଅନ୍ୟପଟେ ରାଜ୍ୟସଭା ସାଂସଦ ନିର୍ମଳା ସୀତାରମଣଙ୍କୁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିବାକୁ କୁହାଯାଇଥିବା ସୂଚନା ରହିଛି । ଆଗକୁ ତେଲେଙ୍ଗାନା, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡର ନିର୍ବାଚନ ହେବାର ଅଛି ।

ତେଣୁ ଏହି ସବୁ ରାଜ୍ୟକୁ ଆଖି ଆଗରେ ରଖି ମୋଦୀ ସରକାର ମନ୍ତ୍ରିମଣ୍ଡଳ ଅଦଳ ବଦଳ କରିବେ ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କ୍ୟାବିନେଟରେ ବଡ ପରିବର୍ତନ କରିବେ ବୋଲି କିଛି ଦିନ ହେବ ଚର୍ଚ୍ଚା ହେଉଛି । ଏହାରି ଭିତରେ ବିଜେପି ସଭାପତି ଜେପି ନଡା ଏବଂ ବିଭିନ୍ନ ମନ୍ତ୍ରୀ ତଥା ଦଳର ନେତାଙ୍କ ମଧ୍ୟରେ ବୈଠକ ହୋଇଛି । ଏହାପରେ ମନ୍ତ୍ରିମଣ୍ଡଳ ଅଦଳ ବଦଳ ଚର୍ଚ୍ଚା ଆହୁରି ଜୋରଦାର ହୋଇଛି ।